Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ବାଂଲାଦେଶ ମୁହାଁ ବାତ୍ୟା, ଓଡ଼ିଶା ଉପରେ ନାହିଁ ପ୍ରଭାବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମ୍ଭାବ୍ୟ ବାତ୍ୟା ବଡ଼ଧରଣ ନୁହେଁ କି ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବା ସମ୍ଭାବନା ନାହିଁ। ଓଡ଼ିଶା ଉପକୂଳରୁ ସମୁଦ୍ର ଭିତରେ ଏହି ବାତ୍ୟା ବାଂଲାଦେଶ ଆଡକୁ ମୁହାଁଇବ। ତଥାପି ଗଭୀର ଅବପାତ ପ୍ରଭାବରେ ଗୁରୁବାର ସକାଳୁ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିଥିବା ବେଳେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିଛି । ପାରାଦ୍ବୀପ, ଚାନ୍ଦବାଲି ଏବଂ ପୁରୀରେ ଝିପିଝିପି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବାତ୍ୟାର ନାମ ‘ମିଧିଲି’ ରହିଛି। ଏହାର ନାମକରଣ ମାଳଦ୍ବୀପ କରିଛି।
ବୁଧବାର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ ଗୁରୁବାର ସକାଳ ସାଢେ ୫ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ନିଜର ଗତି ଦିଗ ବଜାୟ ରଖିବା ସହ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ୧୮ତାରିଖ ସକାଳ ବେଳକୁ ବାଂଲାଦେଶ ଉପକୂଳ ମଙ୍ଗଳା ଏବଂ ଖେପୁପୁରା ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୬୦କି.ମିରୁ ୭୦କି.ମି ଏବଂ ସ୍ଥଳବିଶେଷରେ ପବନ ୮୦କି.ମି ବେଗରେ
ବହିବାର ସମ୍ଭାବନା ରହିଛି।
ବାତ୍ୟା ସୃଷ୍ଟି ହେବା ପରେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ। ଏହା ଦିଗ ପରିବର୍ତ୍ତନ କରିଥିବାରୁ ବାତ୍ୟାର ପ୍ରଭାବ ଉପକୂଳରେ ପଡିବ ନାହିଁ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Show More

Related Articles

Back to top button