ଓଡ଼ିଶାପାଣିପାଗ

ଓଡିଶାକୁ ବାତ୍ୟା ବିପତ୍ତି,୧୦ ତାରିଖରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଆସୁଛି ବାତ୍ୟା । ବନ୍ୟା ପରେ ପୁଣି ଓଡିଶାକୁ ବାତ୍ୟା ଭୟ । ପୂର୍ବାନୁମାନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ମିଆଁମାରର ପଶ୍ଚିମ ଉପକୂଳରେ ଏକ ସୃଷ୍ଟ ଲଘୁଚାପ ଫଳରେ ଆସନ୍ତା ୧୦ କିମ୍ବା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ । କିନ୍ତୁ ଏହା କେଉଁଠି ସ୍ଥଳଭାଗ ଛୁଇଁବ , ତାହା ବର୍ତ୍ତମାନ କହିବା ଅସମ୍ଭବ । କେଉଁ ମୂହୁର୍ତ୍ତରେ ସମ୍ଭାବ୍ୟ ଚିତ୍ର ନିଜ ଦିଗ ପରିବର୍ତ୍ତନ କରାଇପାରେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଜିଏଫଏସ ମଡେଲର ସମ୍ଭାବ୍ୟ ଚିତ୍ର ଅନୁଯାୟୀ , ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ମିଆଁମାରର ପଶ୍ଚିମ ଉପକୂଳରେ ଆସନ୍ତା ୭ କିମ୍ବା ୮ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୯ ତାରିଖବେଳକୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ବାତ୍ୟା ରୂପ ନେବ । ୧୦ ତାରିଖବେଳକୁ ଏହା ପୁରୀରୁ ପାରାଦୀପ ମଝିରେ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଅନ୍ୟପଟେ ଦେଖିବାକୁ ଗଲେ ବିଭିନ୍ନ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ସେହିପରି ଅନ୍ୟ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଗୋପାଳପୁରରୁ ବାଲେଶ୍ୱର ଭିତରେ ଯେ କୌଣସି ସ୍ଥାନରେ ଉପକୂଳ ଛୁଇଁବା ସମ୍ଭାବନା ଅଛି । ବିଭିନ୍ନ ମଡେଲର ଆକଳନକୁ ବିଶ୍ଳେଷଣ କରି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପ୍ରାକ ଆକଳନରେ ଦର୍ଶାଇଛନ୍ତି, ଦକ୍ଷିଣ ଚାଇନା ସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟର ଅଂଶବିଶେଷ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ୭ ତାରିଖବେଳକୁ ଲଘୁଚାପ ତିଆରି କରିପାରେ । ଏହା ୮ରେ ଅବପାତ ଓ ୯ରେ ଗଭୀର ଅବପାତ କିମ୍ବା ବାତ୍ୟା ରୂପ ନେବା ସହ ଓଡ଼ିଶା ଉପକୂଳକୁ ମୁହାଁଇବା ସମ୍ଭାବନା ଅଛି । ଯଦି ଏମିତି ହୁଏ, ତେବେ ସମ୍ଭବତଃ ୧୧ ତାରିଖରେ ତାହା ଓଡ଼ିଶା କିମ୍ବା ସଂଲଗ୍ନ ଉପକୂଳ ଛୁଇଁପାରେ।

ଡକ୍ଟର ପଶୁପାଳକ କହିବା ମୁତାବକ, ସାଧାରଣତଃ ସେପ୍ଟେମ୍ବର ମାସରେ ବାତ୍ୟା ସୃଷ୍ଟି ହୋଇନଥାଏ । ଏହି ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ । ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବା ସ୍ୱାଭାବିକ ନୁହେଁ । କାରଣ ଏହି ସମୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜଳପତ୍ତନ ତାପମାତ୍ରା ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଛି । ଅନ୍ୟପକ୍ଷେ ଆରବ ସାଗରରେ ସ୍ୱାଭାବିକଠାରୁ ଦେଢ଼ ଡିଗ୍ରୀ କମ୍‌ ରହିଛି ତାପମାତ୍ରା । ଦକ୍ଷିଣ ଚାଇନା ସାଗରରେ ଏବେ ସମୁଦ୍ର ଜଳପତ୍ତନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଅଛି । ଚଳିତବର୍ଷ ବର୍ତ୍ତମାନଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ନେବା ଅବଧି ଭିତରେ ବାରମ୍ବାର ଲଘୁଚାପ ସୃଷ୍ଟି ହୋଇପାରେ ।

Show More

Related Articles

Back to top button