Breaking PLUSଓଡ଼ିଶାମୁଖ୍ୟ ଖବର

ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ୱର ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉଦ୍ଘାଟିତ ହୋଇଛି ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ୱର ସେତୁ । ଆଜି ବଡ଼ମ୍ବା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ବଡ଼ମ୍ବା ବ୍ଲକ୍‌ର ଗୋପୀନାଥପୁର ଠାରେ ଏହି ସେତୁର ଶିଳାନ୍ୟାସ କରିଥିଲେ । ଗୋପୀନାଥପୁରରେ ପହଞ୍ଚି ଏହି ସେତୁକୁ ଲୋକାର୍ପଣ କରିବା ପରେ  ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ।

ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୋପୀନାଥପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିଥିଲେ ।

୩.୧୩୯ କିଲୋମିଟର ଲମ୍ବର ଏହି ସେତୁକୁ ୨୦୧୪, ଫେବ୍ରୁଆରି ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ବାଙ୍କୀର ବୈଦେଶ୍ୱରଠାରୁ ବଡ଼ମ୍ବାର ଗୋପୀନାଥପୁରକୁ ଯୋଡ଼ିବ । ଏହି ସେତୁ ମଧ୍ୟଯୁଗୀୟ ସ୍ଥାପତ୍ୟକଳାର ନିଦର୍ଶନ ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠକୁ ବି ଯୋଡ଼ିବ । ମହାନଦୀ ଗର୍ଭରେ ଥିବା ଏହି ମନ୍ଦିର ଏଏସ୍‌ଆଇ ଅଧୀନରେ ରହିଛି । ପୂର୍ବରୁ ଡଙ୍ଗାରେ ପୀଠକୁ ଯିବାକୁ ପଡୁଥିବା ‌ବେଳେ ଏବେ ଏହି ସେତୁରୁ ୨୩୬ ମିଟରର ଏକ ‘ଟି’ ବ୍ରିଜ୍ ପୀଠକୁ ଯୋଡୁଛି ।

ଏଭଳି ‘ଟି’ ସେତୁ ଏଯାଏଁ ରାଜ୍ୟରେ କୌଣସି ସ୍ଥାନରେ ନିର୍ମାଣ ହୋଇ ନଥିବା ଜଣାପଡିଛି । ଏହି ସେତୁ ନିକଟରେ ଅର୍ଥାତ୍‌ ବଡ଼ମ୍ବାର ଗୋପୀନାଥପୁରରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ଦୁଇ ଏକର ୩୬ ଡିସିମିଲ ସ୍ଥାନ ଯୋଗାଇ ଦେଇଥିବା ବେଳେ ଏହାର ଡିଜାଇନ୍‌ ମଧ୍ୟ ପ୍ରସ୍ତୁତ ସରିଛି । ଅନ୍ୟପଟେ ହଂସନାଥ ପୀଠକୁ ସଂଯୋଗ କରୁଥିବା ‘ଟି’ ସେତୁ ୨୩୬ ମିଟର ପାଇଁ ମଧ୍ୟ ପାହାଚ ଓ ବିଭିନ୍ନ କାର୍ଯ୍ୟର ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି ।

Show More

Related Articles

Back to top button