ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆସ୍ଥା ଭୋଟ ଜିତିବା ପରେ ଅଫିସକୁ ଫେରିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି: ଦୁଇଦିନ ତଳେ ଝାଡଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ ଜିତିବା ପରେ ଅଫିସକୁ ଫେରିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଜି ସେ ଝାଡଖଣ୍ଡ ମନ୍ତ୍ରଣାଳୟକୁ ଫେରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଫିସ ଅଫ ପ୍ରଫିଟ ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ ନିର୍ବାଚନ କମିଶନ ସୁପରିସ କରିଥିବା ଖବର ମିଳିବା ପରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ଘୋଡ଼ାବେପାର ଅଭିଯୋଗକୁ ନେଇ ଝାଣ୍ଡଖଣ୍ଡ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଥିଲା। ଶେଷରେ ହେମନ୍ତ ସୋରେନ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ। ଏଥିରେ ସେ ଜିତିଲେ ମଧ୍ୟ। ଆସ୍ଥା ଜିତିବାର ଦୁଇ ଦିନ ପରେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ଅଫିସରେ ପହଞ୍ଚିଥିଲେ। ରାଜ୍ୟରେ ପୁରୁଣା ପେନସନ ଯୋଜନା ସେ ଲାଗୁ କରିଥିବାରୁ ଝାଡଖଣ୍ଡ ପ୍ରଶାସନିକ ସେବା ଅଫିସରମାନେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ସୋରେନଙ୍କ ଭଳି ଗ୍ରାମାଞ୍ଚଳ ବ୍ୟାପାର ମନ୍ତ୍ରୀ ଆଲମଗିର ଆଲାମ ଓ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ମିଥିଲେଶ କୁମାର ଠାକୁର ମଧ୍ୟ ନିଜ ନିଜ ଅଫିସକୁ ଫେଛନ୍ତି। ଅନ୍ୟପକ୍ଷରେ ହେମନ୍ତ ସୋରେନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ୟୁପିଏର ବିଧାୟକମାନେ ଏବେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଛନ୍ତି। ସେମାନଙ୍କୁ ଘୋଡ଼ାବେପାର ଠାରୁ ଦୂରେଇ ରଖିବା ପାଇଁ ରାୟପୁର ଓ ରାଞ୍ଚିର ହୋଟେଲରେ ବେଶ କିଛି ଦିନ ଧରି ରଖାଯାଇଥିଲା। ବିଧାୟକମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ଲୋକଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି। ଏଥିରେ ହେମନ୍ତ ସୋରେନ ଯୋଗଦେଇ କହିଛନ୍ତି, “ଆସନ୍ତାକାଲି ଆଉ ଜଣେ କେହି ମୁଁ ଆଜି ବସିଥିବା ଚେୟାରରେ ବସି ପାରନ୍ତି। ସରକାର ଆସିବ ଓ ଯିବ। କିନ୍ତୁ ଆମର ଲକ୍ଷ୍ୟ ହେଲା ସରକାରୀ ବ୍ୟବସ୍ଥାକୁ ସଂଗଠିତ କରିବା।” ମୁଖ୍ୟମନ୍ତ୍ରୀ ସୋରେନ ଅଧିକାରୀମାନଙ୍କୁ କୌଣସି ଫାଇଲକୁ ଦୀର୍ଘଦିନ ଧରି ପକାଇ ନରଖିବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ବିଭିନ୍ନ ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ହେବା ସହ ଲୋକମାନେ ଏହାର ଫାଇଦା ହାସଲ କରିପାରିବେ ବୋଲି ସେ କହିଛନ୍ତି।

 

Show More

Related Articles

Back to top button