ଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶରେ ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 11 ମୃତ, 60 ଆହତ

ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ, ଘଟଣାର ତଦନ୍ତ ନିର୍ଦ୍ଦେଶ, କମିଟି ଗଠନ

ହରଦା, 6 ଫେବୃଆରୀ – ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ମଙ୍ଗଳବାର ଏକ ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇ ଭୟାବହ ନିଆଁ ଲାଗିଛି । ଫ୍ୟାକ୍ଟ୍ରିରେ ବାଣରେ ବ୍ୟବହାର ପାଇଁ ରଖାଯାଇଥିବା ବାରୁଦ ସଂସ୍ପର୍ଶରେ ଆସି ନିଆଁ ଭୟାବହ ରୂପ ଧାରଣ କରିଥିଲା । ପୂରା ଅଞ୍ଚଳ ଧୂଆଁମୟ ହୋଇପଡିଥିଲା । ଦୁର୍ଘଟଣାରେ ଏବେ ସୁଦ୍ଧା 11ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 60ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ 6ଜଣ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି ।
ସୂଚନା ଅନୁସାରେ, ସହରର ମଗରଧା ରୋଡରେ ଥିବା ଗ୍ରାମ ବୈରାଗଡ ସ୍ଥିତ ଏକ ବେଆଇନ ବାଣ ଫ୍ୟାକ୍ଟ୍ରିରେ ମଙ୍ଗଳବାର ଜେରଦାର ଧମାକା ପରେ ଭୀଷଣ ନିଆଁ ଲାଗିଯାଇଥିଲା । ନିଆଁ ଦ୍ରୁତ ଗତିରେ ମାଡିବା ସହ ଆଖପାଖରେ ଥିବା 50ରୁ ଅଧିକ ଘରକୁ ଛାରଖାର କରିପକାଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ, ଲୋକେ ଭୟରେ ଦୌଡିବାକୁ ଲାଗିଥିଲା । ଫ୍ୟାକ୍ଟ୍ରିରୁ ଉଠୁଥିବା ନିଆଁ ଓ ଧୂଆଁ ଆକାଶରେ ଅନେକ କିଲୋମିଟର ଯାଏ ଦୃଶ୍ୟମାନ ହୋଇଥିଲା । ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ 250ରୁ ଅଧିକ ଶ୍ରମିକ କାମ କରୁଥିଲେ । ଏହି ଦୁର୍ଘଟଣାରେ 11ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 60ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏଣେ ତେଣେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା ।
ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି । ଏବେ ଯାଏ ଫ୍ୟାକ୍ଟ୍ରି ଭିତରେ ଶହେରୁ ଅଧିକ ଲୋକ ଫସିରହିଥିବା ଅନୂମାନ କରାଯାଉଛି । ଏହା ଭିତରୁ ଧମାକାର ଶବ୍ଦ ଶୁଭାଯାଉଛି । ଡାକ୍ତରୀ ଟିମକୁ ହାଇ ଆଲର୍ଟରେ ରଖାଯାଇଛି । ହରଦାରୁ ଭୋପାଳ ଯାଏ ଗ୍ରୀନ କରିଡର କରାଯାଇଛି ।

Show More

Related Articles

Back to top button