ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭବ୍ୟ ସ୍ୱାଗତ କରିବ ବିଜେଡି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଆସନ୍ତା ସେପ୍ଟେମ୍ବର ୬ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିବ ବିଜେଡି । ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାୟ ୫୦-୬୦ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରାରେ ନବୀନଙ୍କୁ ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନେବାକୁ ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀସ୍ଥିତ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ନବୀନଙ୍କୁ ଆସନ୍ତା ୪ତାରିଖରେ ନୂଆଦିଲ୍ଲୀର ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଂଟର’ରେ ‘ଲାଇଫଟାଇମ୍ ଆଚିଭମେଂଟ୍ ଆୱାର୍ଡ’ରେ ସମ୍ମାନିତ କରାଯିବ। ୨୦୧୮ ଜାନୁୟାରୀ ମାସରେ ପୁନେସ୍ଥିତ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ସମ୍ବର୍ଦ୍ଧିତ କରାଯିବା ପରେ ବିଜେଡି ପକ୍ଷରୁ ଯେଉଁଭଳି ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା, ସେହିପରି କାର୍ଯ୍ୟକ୍ରମ ସେପ୍ଟେମ୍ବର ୬ରେ ଦିଲ୍ଲୀରୁ ଫେରିବା ପରେ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବେସରକାରୀ ସଂଗଠନ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୪ତାରିଖରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବାରୁ ଦଳ ପକ୍ଷରୁ ଏଥିପାଇଁ ଭବ୍ୟ ଆୟୋଜନ ହୋଇଛି । ଏପରିକି ଦଳ ପକ୍ଷରୁ ୫ଜଣ ବିଧାୟକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ସେମାନଙ୍କୁ ଦିଲ୍ଲୀରେ ଡେରା ପକାଇବାକୁ କୁହାଯାଇଛି । ନବୀନଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ସେଠାରେ ପ୍ରାୟ ୫ରୁ ୧୦ହଜାର ଓଡ଼ିଆ ଲୋକଙ୍କୁ ଏକଜୁଟ କରି ନବୀନଙ୍କୁ ସ୍ୱାଗତ କରାଯିବାର ଯୋଜନା ରହିଛି । ଏହାସହିତ ଦଳର ବିଭିନ୍ନ ଛାମୁଆ ସଂଗଠନ ଯଥା-ଯୁବ, ଛାତ୍ର, ମହିଳା ୱିଙ୍ଗ୍ କର୍ମକର୍ତ୍ତାଙ୍କ ସମେତ ବିଧାୟକ,ସାଂସଦ ଓ ଜିଲ୍ଲାଗୁଡ଼ିକରୁ ଆଗଧାଡ଼ିର ନେତାମାନଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୬ରେ ନିଜର ଦିଲ୍ଲୀ ଗସ୍ତ ଶେଷ କରି ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଥିବାରୁ ଉକ୍ତ ଦିନ ଦଳ ପକ୍ଷରୁ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବ । ନବୀନଙ୍କୁ ସ୍ୱାଗତ କରିବା ନିମନ୍ତେ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ନୟାଗଡ଼ ଆଦି ଜିଲ୍ଲାରୁ ପ୍ରାୟ ୫୦ରୁ ୬୦ହଜାର ବିଜେଡି କର୍ମୀଙ୍କୁ ବିମାନ ବନ୍ଦରକୁ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ନିଜର ନେତାଙ୍କୁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ମିଳିବାକୁ ଥିବା ପୁରସ୍କାରରୁ ରାଜନୀତିକ ଫାଇଦା ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛି ।

Show More

Related Articles

Back to top button