ଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ପୋଷା କୁକୁର ରଖୁଥିଲେ ସାବଧାନ, କାମୁଡିଲେ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କୁକୁର କାମୁଡିବା ଘଟଣା ବଢ଼ିବାରେ ଲାଗିଛି। ବିଶେଷ କରି ପୋଷା କୁକୁର କାମୁଡାରେ ଅନେକ ଗୁରୁତର ହୋଇଥିବା ବେଳେ ଅନେକଙ୍କ ଜୀବନ ମଧ୍ୟ ଗଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ଜାରି କରାଯାଇଛି କଡା କଟକଣା।

ଏଣିକି କୌଣସି ବ୍ୟକ୍ତିଙ୍କୁ ପୋଷା କୁକୁର କାମୁଡିଲେ ତା’ ମାଲିକଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା। କୁକୁର ମାଲିକଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡିବ ବୋଲି ନଏଡା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସୂଚନାନୁସାରେ, ଯଦି କୌଣସି ପୋଷା କୁକୁର ଅଥବା ବିଲେଇ କାହାକୁ ଆକ୍ରମଣ କରେ ତା’ର ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ପଡିବ ଏବଂ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସେ ବହନ କରିବେ। ୨୦୨୩ ମାର୍ଚ୍ଚ ପହିଲାରୁ ଏହି ନିୟମ ଲାଗୁ ହେବ।

ବୁଲା କୁକୁରଙ୍କ ଦୌରାତ୍ମ୍ୟ ଏବଂ ପୋଷା କୁକୁରଙ୍କ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ନଏଡା କର୍ତ୍ତୃପକ୍ଷ ବୋର୍ଡ ମିଟିଙ୍ଗ୍ ଡକାଇଥିଲେ। ଏହି ବୈଠକ ଶେଷ ହେବା ଜାରି କରିଥିବା ଆଦେଶ ଅନୁସାରେ, ୨୦୨୩ ମାର୍ଚ୍ଚ ୧ ତାରିଖରୁ ଯଦି ପୋଷା କୁକୁର କି, ବିଲେଇ ଯୋଗୁଁ କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ତା’ର ମାଲିକଙ୍କ ଉପରେ ଅର୍ଥଦଣ୍ଡ ପଡ଼ିବ।

‘ପ୍ରାଣୀ ମଙ୍ଗଳ ବୋର୍ଡ’ ନିୟମ ଅନୁସାରେ, ନୀତି ନିର୍ଦ୍ଧାରଣ କରିବା ଲାଗି ଏହି ବୈଠକରେ ନଏଡ଼ା କର୍ତ୍ତୃପକ୍ଷ ସବିଶେଷ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସେହିପରି, ୨୦୨୩ ମାର୍ଚ ସୁଦ୍ଧା ‘ନଏଡା ଅଥରିଟି ପେଟ୍ ରେଜିଷ୍ଟ୍ରେସନ୍ ଆପ୍‌’ ଜରିଆରେ ପୋଷା କୁକୁର ଓ ବିରାଡ଼ିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ପୋଷାଜନ୍ତୁଙ୍କୁ ପଞ୍ଜିକରଣ ନ କଲେ ବି ଜରିମାନା ପଡ଼ିବ। ଏହାଛଡ଼ା, କୁକୁରମାନଙ୍କୁ ଜଳାନ୍ତଙ୍କ-ନିରୋଧୀ ଟିକା ଦେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ୨୦୨୩ ମାର୍ଚ୍ଚ ପହିଲାରୁ ମାସକୁ ୨୦୦୦ ଟଙ୍କା ଲେଖାଏଁ ଜୋରିମାନା ଦବାକୁ ପଡ଼ିବ।

Show More

Related Articles

Back to top button