ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ପଦ୍ମପୁର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ସତ୍ୟଭୂଷଣ ସାହୁ

ରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଛି । ଶନିବାର ଜାତୀୟ କଂଗ୍ରେସ ଦଳ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରିଛି । ଏ ନେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଧିବଦ୍ଧ ଭାବେ ଓଡ଼ିଶାର ୧ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ପଦ୍ମପୁର ଉପନିର୍ବାଚନ-୨୦୨୨ ପାଇଁ ଶ୍ରୀ ସାହୁଙ୍କ ନାମ ଘୋଷଣା କରିଥିବା ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକଙ୍କ ସୂତ୍ରରୁ ଜଣାପଡ଼ିଛି ।

 

ପଦ୍ମପୁର ଆସନରୁ ୧୯୮୦, ୧୯୮୫ ଓ ୨୦୦୪ ନିର୍ବାଚନରେ ବିଧାୟକ ଭାବେ ବିଜୟୀ ହୋଇଥିଲେ ସତ୍ୟଭୂଷଣ । ଦ୍ୱିତୀୟ ଟର୍ମରେ ମୁଖ୍ୟ ସଚେତକ ଓ ତୃତୀୟ ଟର୍ମରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ପଦ ଅଳଙ୍କୃତ କରି ବରଗଡ଼ କଂଗ୍ରେସ ପାଇଁ ଗୌରବ ଆଣିଥିଲେ । ସାଂଗଠନିକ ଦକ୍ଷତା ଥିବା ଶ୍ରୀ ସାହୁଙ୍କ ଉପରେ ଏଆଇସିସି ପୁଣି ଥରେ ଭରସା କରିଥିବାରୁ ତୃଣମୂଳ ସ୍ତରର କର୍ମୀ ଓ ନେତା ଶ୍ରୀ ଖଡ଼ଗେଙ୍କ ସମୟୋପଯୋଗୀ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏପଟେ ପ୍ରଚାର ମଇଦାନକୁ ପୂର୍ବରୁ ଓହ୍ଲାଇ ସାରିଥିବା ଶ୍ରୀ ସାହୁ ଆଜି ପଦ୍ମପୁର ଚାଷୀ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିବା ସହ ଜୋରଦାର ଲଢ଼େଇ ପାଇଁ ସଙ୍କେତ ଦେଇଛନ୍ତି ।

ହାଇସ୍କୁଲ ପାଠପଢ଼ା ସମୟରୁ ମାମୁଁଙ୍କ ନିର୍ବାଚନ ପ୍ରଚାରରେ ସାମିଲ ହୋଇ କଂଗ୍ରେସକୁ ଆପଣାଇଥିଲେ ସତ୍ୟଭୂଷଣ । କଲେଜ ଜୀବନରୁ ଦଳ ପାଇଁ କାମ କରିଆସୁଛନ୍ତି । ତୃଣମୂଳସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ଭାବେ ୧୯୮୦ରେ ପଦ୍ମପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଇଣ୍ଡିଆନ୍‌ ନ୍ୟାସନାଲ କଂଗ୍ରେସ(ଆଇ) ଦଳର ପ୍ରାର୍ଥୀ ଭାବେ ୧୯୮୦ରେ ୪୨.୫୮% ଭୋଟ୍‌ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡିଆନ୍‌ ନ୍ୟାସନାଲ କଂଗ୍ରେସ(ୟୁ) ଦଳର ପ୍ରାର୍ଥୀ ମୁରାରୀ ପ୍ରସାଦ ମିଶ୍ର(୨୭.୫୬% ଭୋଟ)ଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ ବିଧାନସଭା ନିର୍ବାଚନରେ ଇଣ୍ଡିଆନ୍‌ ନ୍ୟାସନାଲ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜନତା ପାର୍ଟିର ଦୁଃଖିଶ୍ୟାମ ପ୍ରଧାନଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ହରାଇଥିଲେ ।

Show More

Related Articles

Back to top button