ଓଡ଼ିଶା

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ହିଞ୍ଜିଳି-ଶେରଗଡ଼ ଯାଇ ସେଠାରେ 181.78 କୋଟି ଟଙ୍କା ବିନିଯୋଗରେ ନିର୍ମିତ ୭ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ 136.78 କୋଟି ଟଙ୍କାର ୮ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଶୀତଳାପଲ୍ଲୀଠାରେ 639.81 କୋଟି ଟଙ୍କା ମୂଲ୍ୟର ୨୪ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ 2994 କୋଟି ଟଙ୍କାର ୫୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଶେରଗଡ଼ଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ସହଯୋଗରେ ହିଞ୍ଜିଳି-ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ୍‌ ଭାବେ ପରିଚୟ ପାଇଛି ଏବଂ ଏହି ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପରିଣତ ହୋଇଛି । ୫-ଟି ଉପକ୍ରମରେ ରୂପାନ୍ତର ଅଭିଯାନର ଭିତ୍ତି ପ୍ରଥମେ ହିଞ୍ଜିଳି-ଶେରଗଡ଼ରୁ ହିଁ ଆରମ୍ଭ ହୋଇଥିଲା । ମା’ତାରାତାରିଣୀ ପୀଠର ଉନ୍ନତି ସହିତ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଏଠାରୁ ଆରମ୍ଭ ହୋଇଥିଲା । ଏହିସବୁ ରୂପାନ୍ତର କାର୍ଯ୍ୟ ଆଜି ଦେଶବିଦେଶକୁ ଆକର୍ଷିତ କରୁଛି । ଆଜି ହାଇସ୍କୁଲ ରୂପାନ୍ତର କାର୍ଯ୍ୟ ଶେଷହୋଇ ସାରା ରାଜ୍ୟରେ ୮୦୦୦ରୁ ଅଧିକ ହାଇସ୍କୁଲ ରୂପାନ୍ତରିତ ହୋଇଛି । ପିଲାମାନଙ୍କ ଖୁସି ଓ ଲୋକଙ୍କ ଖୁସି ଦେଖି ସେ ବି ଆନନ୍ଦିତ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନ୍‌.ଏ.ସି ଭାବେ ଘୋଷଣା କରିଥିଲେ ଏବଂ ହିଞ୍ଜିଳି-ଶେରଗଡ଼ର ବିକାଶକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଶୀତଳାପଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସରସ୍ୱତୀ ପୂଜାର ଶୁଭ ଅବସରରେ ଗଞ୍ଜାମ ଜିଲ୍ଲା ପାଇଁ ୫ ହଜାର କୋଟିରୁ ଅଧିକ ଟଙ୍କାର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା । ସେହିପରି ଗୋପାଳପୁର industrial ପାର୍କରେ ଏସିଏମ୍‌ଇ ଓ ଆଭାଡ଼ା ଦ୍ୱାରା ଗ୍ରୀନ୍‌ ଫୁଏଲ୍‌ ପ୍ରକଳ୍ପ ଏବଂ ଗୋପାଳପୁରଠାରେ ଇଡ୍‌କୋର ୟୁଟିଲିଟି କରିଡ଼ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏହା ଦ୍ୱାରା ଜିଲ୍ଲାରେ ଶିଳ୍ପ ବିକାଶ ସହିତ ନିଯୁକ୍ତି ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ । ଆଜି ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନରେ ଅଛି । ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ଖାଦ୍ୟ ଯୋଗାଉଛି । ବିଶ୍ୱର ବଡ଼ ବଡ଼ ଆଇଟି କମ୍ପାନି ଓଡ଼ିଶାରେ ସେମାନଙ୍କର କମ୍ପାନି ପ୍ରତିଷ୍ଠା କରୁଛନ୍ତି । କ୍ରୀଡ଼ା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିଛି । ଆମର ୫-ଟି ଉପକ୍ରମ ଶିକ୍ଷା-ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଈ ପ୍ରକଳ୍ପ ଓ ମା’ ତାରାତାରିଣୀ ପୀଠର ରୂପାନ୍ତର ଓଡ଼ିଶାକୁ ଗୌରବାନ୍ୱିତ କରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ଚିକିତ୍ସା ଚିନ୍ତା ଦୂର କରିଛି । ରାଜ୍ୟରେ ମା’ମାନେ ଆଜି ଉଦ୍ୟୋଗୀ ହେବା ପାଇଁ ଆଗଭର ହେଲେଣି । ଚାଷୀମାନଙ୍କ ପାଇଁ ମା’ମାନଙ୍କ ପାଇଁ ଓ ଯୁବଗୋଷ୍ଠୀ ପାଇଁ ବିନାସୁଧରେ ଋଣ ବ୍ୟବସ୍ଥା ସେମାନଙ୍କ ପାଇଁ ସୁଯୋଗ ଆଣିଦେଉଛି । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ଆରମ୍ଭ ହେବାକୁ ଯାଉଛି । ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଜି ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହି ଆଗାମୀ ଦିନରେ ଓଡ଼ିଶାକୁ ବିକାଶର ନୂଆ ସୋପାନରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୀତଳାପଲ୍ଲୀଠାରେ ନବନିର୍ମିତ ୨୦୦ ଶଯ୍ୟାବିଶିଷ୍ଟ ସମ୍‌ ସୁପରସ୍ପେସିଆଲିଟି ହସ୍‌ପିଟାଲ୍‌କୁ ଲୋକାର୍ପିତ କରିବା ସହିତ ଘରପାଖରେ ଆପଣମାନେ ଏହା ମାଧ୍ୟମରେ ଭଲ ଚିକିତ୍ସା ସୁବିଧା ପାଇବେ ବୋଲି କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ଗୋପାଳପୁରଠାରେ ୨୭ ହଜାର କୋଟି ଟଙ୍କା ନିବେଶରେ ଏ.ସି.ଏମ୍‌.ଇ ଦ୍ୱାରା ୧.୧୦ ଏମ୍‌.ଏମ୍‌.ଟି.ପି.ଏ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ ଏବଂ ୮ ହଜାର କୋଟି ଟଙ୍କା ନିବେଶରେ ଆଭାଡ଼ା ଗ୍ରୀନ୍‌ ହାଇଡ୍ରୋଜେନ୍‌ ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ପ୍ରାୟ ୫୨୦୦ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ୍‌ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରକଳ୍ପ ସଂପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।

Show More

Related Articles

Back to top button