Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

ମାଲବାହୀ ଟ୍ରକକୁ ପଛରୁ ଧକ୍କା ଦେଲା ଆମ୍ୱୁଲାନ୍ସ : ଜଣେ ଗୁରୁତର ତିନି ମୃତ

ବାଲେଶ୍ୱର ଅଞ୍ଚଳରୁ ୧୦୮ ଆମ୍ବୁଲାନ୍ସ ଜଣେ ମହିଳା ରୋଗୀଙ୍କୁ ଧରି କଟକ ଅଭିମୁଖେ ଆସୁଥିଲା।

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଓ ବଡଚଣା ମଧ୍ୟସ୍ଥଳୀରେ ଶନିବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ ପଛରେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୪ଜଣଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଅଞ୍ଚଳରୁ ୧୦୮ ଆମ୍ବୁଲାନ୍ସ ଜଣେ ମହିଳା ରୋଗୀଙ୍କୁ ଧରି କଟକ ଅଭିମୁଖେ ଆସୁଥିଲା। ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଛକରୁ ବଡଚଣା ଛକ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ରାଜପଥ ହୋଟେଲ ସମ୍ମୁଖରେ ଗାଡ଼ିଟି ଦୁର୍ଘଟଣାଗସ୍ତ ହୋଇଥିଲା। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ମାଲ ବୋଝେଇ ଟ୍ରକକୁ ଆମ୍ବୁଲାନ୍ସ ପଛ ପଟରୁ ଧକ୍କା ଦେଲା। ଫଳରେ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର, ମହିଳା ରୋଗୀ ଓ ଜଣେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ହୋଇଛି । ଏଥିରେ ରୋଗୀଙ୍କ ଜଣେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଖବର ପାଇ ଚଣ୍ଡିଖୋଲ ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆମ୍ବୁଲାନ୍ସକୁ କାଟି ଖଣ୍ଡ ଖଣ୍ଡ କରି ସମସ୍ତଙ୍କୁ ବାହାର କରିଥିଲେ। ସେମାନଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଥିବାରୁ ତାକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏବେ ପର୍ଯ୍ୟନ୍ତ ମୃତକମାନଙ୍କ ପରିଚୟ ମିଳି ପାରିନାହିଁ।

Show More

Related Articles

Back to top button