ବଲିଉଡମନୋରଞ୍ଜନ

ଗଣମାଧ୍ୟମକୁ ଦେଖି ଚିନ୍ତାରେ ଆର୍ଯ୍ୟନ ଖାନ୍‌

ବେଲ୍‌ରେ ପରିବର୍ତ୍ତନ କରିବାକୁ କଲେ ଆବେଦନ

ବହୁ ଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଜେଲ୍‌ ଯାଇ ବେଲ୍‌ରେ ମୁକୁଳିଥିବା ଆର୍ଯ୍ୟନ ଖାନ୍ ନିୟମ ଅନୁସାରେ ସପ୍ତାହକୁ ଥରେ ଏନ୍‌ସିବି ଅଫିସ୍‌ରେ ହାଜିରା ହେଉଛନ୍ତି। ଆଉ ପ୍ରତି ସପ୍ତାହରେ ତାଙ୍କୁ ବାରମ୍ବାର ଏନ୍‌ସିବି ଅଫିସ୍‌ ଆସିବାକୁ ପଡ଼ୁଥିବାରୁ ସମସ୍ୟା ଦର୍ଶାଇ ବେଲ୍‌ ନିୟମକୁ ପରିବର୍ତ୍ତନ କରିବା ପାଇଁ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଲ’ ଫାର୍ମ ଦେସାଇ ଦେସାଇ କରିମଜୀ ଓ ମୁଲ୍ଲା ମାଧ୍ୟମରେ କରାଯାଇଥିବା ଆବେଦନରେ କୁହାଯାଇଛି ଯେ କୋର୍ଟ ଅର୍ଡର ଅନୁସାରେ ଖାନ୍‌ ଏନ୍‌ସିବି ଅଫିସ୍‌ରେ ହାଜର ହେଉଛନ୍ତି। ହେଲେ ଏବେ ସେ ଏହି ନିୟମକୁ ହଟାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କାରଣ ଯେତେବେଳେ ବି ସେ ନିୟମ ଅନୁସାରେ ଅଫିସ୍‌ରେ ହାଜର ହେଉଛନ୍ତି ସେଠାରେ ଗଣମାଧ୍ୟମର ପ୍ରବଳ ଭିଡ଼ ରହୁଛି। ତେଣୁ ଅଫିସ୍ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିବା ପୂର୍ବରୁ ତାଙ୍କୁ ବାରମ୍ବାର ପୁଲିସ ଦ୍ୱାରା ଅଟକିବାକୁ ପଡ଼ୁଛି ବୋଲି ଆର୍ଯ୍ୟନ ଆବେଦନରେ ଦର୍ଶାଇଛନ୍ତି।

ସୂଚନା ଥାଉକି ବେଲ୍‌ରେ ମୁକୁଳିବା ପରେ ଆର୍ଯ୍ୟନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ ସେ ପ୍ରଥମ ଦିନ ସମନ ପରେ ବି ଅଫିସ୍‌ରେ ପହଞ୍ଚି ପାରିନଥିଲେ। ଏହି ମାମଲାରେ ଏନ୍‌ସିବି ଆର୍ଯ୍ୟନଙ୍କ ଉପରେ କେତେକ ଅଭିଯୋଗ ଲଗାଇଛି। ଯାହାର ତଦନ୍ତ ଏବେ ଗଠନ କରାଯାଇଥିବା ଏସ୍‌ଆଇଟି ଟିମ କରୁଛି। ବେଲ୍‌ ନିୟମ ଅନୁସାରେ ଆର୍ଯ୍ୟନ ପ୍ରତି ଶୁକ୍ରବାର ଏନ୍‌ସିବି ଅଫିସ୍‌ରେ ହାଜର ହେଉଛନ୍ତି। ଉପରୋକ୍ତ ସମସ୍ୟା ଯୋଗୁ ଏହି ନିୟମକୁ ପରିବର୍ତ୍ତନ କରିବା ପାଇଁ ଆର୍ଯ୍ୟନ ଏନ୍‌ସିବି ଅଫିସ୍‌ରେ ହାଜର ହୋଇଛନ୍ତି। ଖୁବଶୀଘ୍ର ତାଙ୍କ ମାମଲାରେ ଶୁଣାଣି ହେବାକୁ ଥିବା ବେଳେ ଏନ୍‌ସିବି ମଧ୍ୟ ଆବେଦନର ପାଲଟା ଜବାବ ରଖିବ ବୋଲି ଶୁଣିବାକୁ ମିଳୁଛି। ଆର୍ଯ୍ୟନ ଓ ଅନ୍ୟ ୧୯ ଜଣଙ୍କ ଏହି ମାମଲାରେ ଗିରଫ କରିଥିଲା ଏନ୍‌ସିବି। ଏଥିରେ ଅଭିନେତା ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ମଧ୍ୟ ଥିଲେ।

Show More

Related Articles

Back to top button