ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ସନ୍ତରଣ ଶିଖିବାକୁ ଯାଇ ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

କଟକ : ସନ୍ତରଣ ଶିଖୁଥିବା ବେଳେ ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ କଟକର ଯୋବ୍ରା ବ୍ୟାରେଜ୍‌ରେ ଘଟିଛି ଏହି ଘଟଣା।

ମୃତ ଯୁବକଙ୍କ ନାଁ ସୋହେଲ୍ ଖାନ୍। ତାଙ୍କ ଘର କଟକର ପୀର୍ ବଜାର ଅଞ୍ଚଳରେ।

ସୋହେଲେ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ଯୋବ୍ରା ବ୍ୟାରେଜ ନିକଟକୁ ଆସିଥିଲେ। ତାଙ୍କ ସହିତ ଆହୁରି ୨୦ ରୁ ୨୫ ଜଣ ସନ୍ତରଣ ଶିଖିବାକୁ ଆସିଥିଲେ। ଜଗତପୁରରେ ଖୋଲିଥିବା ଏକ ସନ୍ତରଣ ତାଲିମ କେନ୍ଦ୍ର ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଉଥିଲା। ତେବେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଜଣେ ପ୍ରଶିକ୍ଷକ ସେଠାରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି। ସନ୍ତରଣ ଶିଖୁଥିବା ବେଳେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ସୋହେଲେ ବୁଡ଼ି ଯାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ପ୍ରାୟ ଘଣ୍ଟାଏ ଧରି ଖୋଜାଖୋଜି କରିବା ପରେ ସୋହେଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଜଗତପୁର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

ପୁଲିସ୍ ଏହି ସନ୍ତରଣ ତାଲିମ କେନ୍ଦ୍ର ଚଳାଉଥିବା ବ୍ୟକ୍ତି ଓ ପ୍ରଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏତେ ସଂଖ୍ୟକ ପିଲାଙ୍କୁ ସେଠାରେ ସନ୍ତରଣ ତାଲିମ ଦେବା ବେଳେ କ’ଣ ସବୁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଓ କାହିଁକି ଏମିତି ଏକ ଅଘଟଣ ଘଟିଲା, ସେ ସବୁ ବିଷୟରେ ପୁଲିସ୍ ସେମାନଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି।

Show More

Related Articles

Back to top button