ଜେଲ୍ରୁ ମୁକୁଳିଲେ ରାଜ୍ କୁନ୍ଦ୍ରା
ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗତକାଲି କୋର୍ଟ ଜାମିନ ମଞ୍ଜୁର କରିବା ପରେ ଆଜି ପୂର୍ବାହ୍ନ ୧୧ଟା ୩୦ରେ ସେ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲ୍ରୁ ମୁକୁଳିଛନ୍ତି । ଏନେଇ ଜଣେ ଜେଲ ଅଧିକାରୀ ସୂଚନା ଦେଇଛନ୍ତି ।
ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା, ସେବେଠୁ ସେ ଜେଲ୍ରେ ଥିଲେ । କିଛି ଦିନ ପୂର୍ବେ ଏହି ମାମଲାର ଚାର୍ଜସିଟ ଦାଖଲ ହୋଇଥିବା ବେଳେ ଗତକାଲି ମାଜିଷ୍ଟ୍ରେଟ୍ ରାଜଙ୍କୁ ୫୦,୦୦୦ ଟଙ୍କାର ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଥିଲେ । ରାଜ୍ଙ୍କୁ ଜାମିନ ମିଳିବା ପରେ ସୋଶାଲ ମିଡିଆରେ ନିଜ ଖୁସି ବ୍ୟକ୍ତ କରିଛନ୍ତି ଶିଳ୍ପା ଶେଟ୍ଟୀ । ଶିଳ୍ପା ନିଜ ଇନଷ୍ଟାରେ ଏକ ଇନ୍ଦ୍ରଧନୁ ଫଟୋ ଶେଆର କରି ଏକ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ ବୋଲି ସେ ଲେଖିଛନ୍ତି । ଏଥିସହ ତାଙ୍କ ପୁଅ ଭିଆନ କୁନ୍ଦ୍ରା ମଧ୍ୟ ବାପାଙ୍କ ମୁକୁଳିବା ଖବର ପାଇ ଗଣେଶ ପୂଜା ଫଟୋ ଶେଆର କରି ନିଜ ମନର ଭାବନା ବ୍ୟକ୍ତ କରିଛନ୍ତି ।
ରାଜଙ୍କ ସହ ତାଙ୍କ ଆଇଟି ହେଡ୍ ରିୟାନ୍ ଥୋରପେଙ୍କୁ ମଧ୍ୟ ଜାମିନ ମିଳିଛି । ଉଭୟଙ୍କ ପାଇଁ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ସ୍ଥାପନ କରିଥିଲେ । ସେ କହିଥିଲେ ଯେ, ପ୍ଲାଟଫର୍ମରେ କେଉଁ କଣ୍ଟେଣ୍ଟ ଅପଲୋଡ଼ ହେବ ତାହା ସେଲିବ୍ରେଟି ଓ କଣ୍ଟେଣ୍ଟ ପ୍ରଡ୍ୟୁସର ନିଷ୍ପତ୍ତି ନିଅନ୍ତି । ତାହା ରାଜ କୁନ୍ଦ୍ରା ଓ ରିୟାନ୍ ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି । ୧୪୦୦ ପୃଷ୍ଟା ସମ୍ବଳିତ ଦାଖଲ ହୋଇଥିବା ଚାର୍ଜସିଟ୍ରେ କେଉଁଠି ବି ରାଜ କୁନ୍ଦ୍ରା କଣ୍ଟେଣ୍ଟ ଅପଲୋଡ଼ କରୁଥିବା ପ୍ରମାଣ ନାହିଁ ବୋଲି ଓକିଲ ପ୍ରଶାନ୍ତ କହିଛନ୍ତି ।
ଅପରପକ୍ଷରେ ସରକାରୀ ଓକିଲଙ୍କ ଉଭୟଙ୍କ ଜାମିନ ପ୍ରଦାନକୁ ବିରୋଧ କରିଥିଲେ । ଉଭୟଙ୍କୁ ଜାମିନ ମିଳିଲେ ପ୍ରମାଣ ଟ୍ୟାମ୍ପରିଂ ହେବାର ଆଶଙ୍କା ରହିଛି ବୋଲି ସେ କହିଥିଲେ । ତଥାପି କୋର୍ଟ ଉଭୟଙ୍କ ଜାମିନ ମଞ୍ଜୁର କରିଥିବା ବେଳେ ଆଜି ରାଜ କୁନ୍ଦ୍ରାଙ୍କୁ ଜେଲ୍ରୁ ମୁକ୍ତି ମିଳିଛି ।