ଦେଶମୁଖ୍ୟ ଖବର

ଅକ୍ଟୋବର ୧୨ରୁ ବଜେଟ୍ ପ୍ରସ୍ତୁତି

ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ ଦୁର୍ବଳ ହେଉଥିବାବେଳେ ଆସନ୍ତା ଅକ୍ଟୋବର ୧୨ ଠାରୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ନିଯୁକ୍ତି ସୃଷ୍ଟି କରିବା, ବିଭିନ୍ନ ସାମଗ୍ରୀର ଚାହିଦା ବଢ଼ାଇବା ଏବଂ ଅର୍ଥନୀତିକୁ ୮ ପ୍ରତିଶତ ଅଭିବୃଦ୍ଧି ପଥରେ ଅବସ୍ଥାପିତ କରିବାପାଇଁ ସରକାରଙ୍କ ଲକ୍ଷ ରହିଛି । ଏହାକୁ ଦୃଷ୍ଟିରେ ରଖି ବଜେଟ୍‌ରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବାର ସମ୍ଭାବନା ରହିଛି । ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିର ଚତୁର୍ଥ ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟ ଏହା ଚତୁର୍ଥ ବଜେଟ୍ ହେବ ।

ଅକ୍ଟୋବର ୧୨ରୁ ପ୍ରାକ୍ ବଜେଟ୍/ ସଂଶୋଧିତ ଆକଳନ ବୈଠକ ଆରମ୍ଭ ହେବ ବୋଲି ଅର୍ଥନୈତିକ ବ୍ୟାପାର ବିଭାଗର ବଜେଟ୍‌ ଡିଭିଜନ୍ ପକ୍ଷରୁ ଜାରି କରାଯାଇଥିବା ବଜେଟ୍ ସର୍କୁଲାର (୨୦୨୨-୨୩) ରେ ଉଲ୍ଲେଖ ରହିଛି । ସେହିଭଳି ବିଭିନ୍ନ ବିଭାଗ ଯେଉଁ ବ୍ୟୟର ଯେଉଁ ବିବରଣୀ ଦେବେ ସେ ବିଷୟରେ ବ୍ୟୟ ସଚିବ ବିଭିନ୍ନ ବିଭାଗର ସଚିବ ଓ ଆର୍ଥିକ ଉପଦେଷ୍ଟାମାନଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ବ୍ୟୟ ଅଟକଳ ଧାର୍ଯ୍ୟ କରିବେ । ପ୍ରାକ୍ ବଜେଟ୍ ଆଲୋଚନା ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ନଭେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ସାଂପ୍ରତିକ ସ୍ଥିତିକୁ ନଜରରେ ରଖି ବିଭିନ୍ନ ବିଭାଗର ଚୂଡ଼ାନ୍ତ ବଜେଟ୍ ଅଟକଳ ଧାର୍ଯ୍ୟ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । କେନ୍ଦ୍ରୀୟ ସ୍କିମ୍ ଓ କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ଗୁଡ଼ିକର ବଜେଟ୍ ବ୍ୟୟବରାଦ ଉପରେ ମଧ୍ୟ ଆଲୋଚନା ହେବ ।

‌ଆସନ୍ତା ବର୍ଷ ଫେବ୍ରୁଆରି ୧ରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି । ଉପନିବେଶବାଦ ସମୟରୁ ଚାଲି ଆସୁଥିବା ବଜେଟ୍ ଉପସ୍ଥାପନ ପରମ୍ପରାକୁ ମୋଦୀ ସରକାର ବଦଳାଇଥିଲେ । ପ୍ରତିବର୍ଷର ଫେବ୍ରୁଆରି ମାସ ଶେଷ ଦିନରେ ବଜେଟ୍‌ ଉପସ୍ଥାପନ ହେଉଥିଲା । ତାହାକୁ ପରିବର୍ତ୍ତନ କରି ଫେବ୍ରୁଆରି ୧ରେ ବଜେଟ୍ ଘୋଷଣା କରାଯାଉଛି । ୨୦୧୭ ଫେବ୍ରୁଆରି ୧ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏହି ପରମ୍ପରା ଭାଙ୍ଗିଥିଲେ । ଏହା ପରଠାରୁ ଏପ୍ରିଲ୍ ୧ରୁ ମନ୍ତ୍ରଣାଳୟଗୁଡ଼ିକୁ ବଜେଟ୍‌ରେ ଆବଣ୍ଟିତ ପାଣ୍ଠି ମିଳିବା ଆରମ୍ଭ ହେଉଛି । ଆର୍ଥିକ ବର୍ଷ ଅନୁସାରେ ବ୍ୟୟ ଉପରେ ନଜର ରଖାଯାଉଛି । ପୂର୍ବରୁ ପ୍ରଚଳିତ ବ୍ୟବସ୍ଥାରେ ବଜେଟ୍‌କୁ ଅନୁମୋଦନ ପ୍ରଦାନ କରିବା ଲାଗି ମେ’ ମଧ୍ୟ ଭାଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ଏହା ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଉଥିଲା । ଫଳରେ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବରରୁ ସେମାନଙ୍କ ପ୍ରକଳ୍ପରେ ବ୍ୟୟ ଆରମ୍ଭ କରୁଥିଲେ ।

Show More

Related Articles

Back to top button