ଓଡ଼ିଶାଦେଶମୁଖ୍ୟ ଖବର

୨୦୪୭ରେ ବିକଶିତ ହେବ ଭାରତୀୟ ଅର୍ଥନୀତି ଆଉ ବିକଶିତ ଦେଶ ଭାବେ ପରିଚିତ ମଧ୍ୟ ହେବ

ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରାହାରି ଭାବେ ଯଦି ବାର୍ଷିକ ୭.୫ ପ୍ରତିଶତ ହାରରେ ଆଗକୁ ବଢ଼ିବ ତେବେ ୨୦୪୭ ବେଳକୁ ଭାରତ ଏକ ବିକଶିତ ଦେଶରେ ପରିଣତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି। ଆଜି ଓଡ଼ିଶା ଅର୍ଥନୀତି ସଂଘ  ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ଆନାଲିଟିକାଲ୍ ଆଣ୍ଡ୍‌ ଆପ୍ଲାଏଡ୍‌ ଇକୋନମିକ୍ସ ବିଭାଗ ପକ୍ଷରୁ ମଳିତ ଭାବେ ଆୟୋଜିତ ‘ଭାରତୀୟ ଅର୍ଥନୀତି: ୨୦୪୭ ପର୍ଯ୍ୟନ୍ତ ବାଟ’ ଶୀର୍ଷକ ବକ୍ତୃତା ପ୍ରଦାନ କରି ସେ ଏହା କହିଛନ୍ତି। ୧୯୯୧ରେ ଭାରତର ମୁଣ୍ଡପିଛା ଆୟ ୩୧୦ ଡଲାର ଥିଲା। ବର୍ତ୍ତମାନ ତାହା ୨୫୦୦ ଡଲାର ରହିଛି। ଭାରତ ଏବେବି ଏକ ନିମ୍ନ ଆୟ ବର୍ଗର ଦେଶ ଭାବେ ବିବେଚିତ ହେଉଛି। ବିଶ୍ୱର ସବୁଠୁ ଧନଶାଳୀ ଦେଶର ମୁଣ୍ଡପିଛା ଆୟ ଯଥେଷ୍ଟ ଅଧିକ ୧,୭୫,୦୦୦ ଡଲାର ରହିଛି। ୨୦୪୭ରେ ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ଭାରତକୁ ବାର୍ଷିକ ୭.୫ ପ୍ରତିଶତ ହାରରେ ଦୌଡ଼ିବାକୁ ପଡ଼ିବ। ସେହି ହାରରେ ଭାରତ ଆଗକୁ ବଢ଼ିଲେ ୨୦୪୭ ସୁଦ୍ଧା ୩୦ ଲକ୍ଷ କୋଟି (ଟ୍ରିଲିଅନ) ଡଲାର ଅର୍ଥନୀତିରେ ପରିଣତ ହୋଇପାରିବ। ଯଦି ବାର୍ଷିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତରୁ ୭.୫ ପ୍ରତିଶତ ମଧ୍ୟରେ ରହିବ ତେବେ ୨୦୪୭ରେ ଭାରତ ୨୦ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି। ଏଥି ସହିତ ସେ ଯୋଡ଼ିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତ ୨୦ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେଲେ ମୁଣ୍ଡପିଛା

ଆୟ ୧୦,୦୦୦ ଡଲାର ପାଖାପାଖି ପହଞ୍ଚିବ। ଭାରତୀୟ ଅର୍ଥନୀତିର ଆକାର ଏବେ ୩.୭୫ ଲକ୍ଷ କୋଟି ଡଲାର ରହିଛି। ଏକ ବିକଶିତ ଦେଶରେ ପରିଣତ ହେବାକୁ ହେଲେ ଭାରତକୁ ନିଜ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୦ ପ୍ରତିଶତ ରାଶିକୁ ଭିତ୍ତିଭୂମି, ୪ ପ୍ରତିଶତକୁ ସ୍ବାସ୍ଥ୍ୟ, ୬ ପ୍ରତିଶତକୁ ଶିକ୍ଷା ଏବଂ ୩ ପ୍ରତିଶତ ରାଶିକୁ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟୟ କରିବାକୁ ପଡ଼ିବ। ଜିଡିପି ବ୍ୟୟରେ ବୃଦ୍ଧି ଆଣିବାକୁ ହେଲେ ଟିକସ-ଜିଡିପି ଅନୁପାତ ବଢ଼ାଇବାକୁ ପଡ଼ିବ ଏବଂ ଟିକସ ଠକେଇ ରୋକିବାକୁ ହେବ ବୋଲି ସେ କହିଛନ୍ତି।ଟିକସ ଭାଗବଣ୍ଟା ସମ୍ପର୍କରେ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଅଧିକ ଏବଂ ରାଜ୍ୟଗୁଡ଼ିକ ସ୍ବାୟତ୍ତ ସଂସ୍ଥାଗୁଡ଼ିକୁ ଟିକସ ରାଶିରୁ ଅଧିକ ଟଙ୍କା ଦେବା ଦରକାର। ବିଶ୍ବ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିପାରୁଥିବା ଏକ ଦେଶରେ ପରିଣତ ହେବାକୁ ହେଲେ ଜମି, ଶ୍ରମ ଓ ପୁଞ୍ଜି ବଜାରରେ ସଂସ୍କାର ଆଣିବାକୁ ପଡ଼ିବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସଂଗଠିତ କରିବାକୁ ହେବ। ଆଇନ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦେବରାୟ କହିଛନ୍ତି। ଅଭିବୃଦ୍ଧିର ଲାଭ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲାଗି ସମସ୍ତଙ୍କ ପାଇଁ ମୌଳିକ ଆବଶ୍ୟକାର ସୁବିଧା କରିବାକୁ ହେବ। ବୈଷମ୍ୟ ଦୂର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଓଡ଼ିଶା ଅର୍ଥନୀତି ସଂଘର ସଭାପତି ଯୁଗଳ କିଶୋର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ମିତାଲି ଚିନାରା ଓ ଓଇଏର ସମ୍ପାଦକ ଅମରେନ୍ଦ୍ର ଦାସ ଉପସ୍ଥିତ ଥିଲେ।

Show More

Related Articles

Back to top button