Breaking PLUSବିଧାନସଭା

ଶୀତକାଳୀନ ଅଧିବେଶନ ପାଇଁ ଉପସ୍ଥାପିତ ହେବ ୧୮ ବିଲ୍‍

ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ସରକାରଙ୍କ ପକ୍ଷରୁ ୧୮ଟି ବିଲ୍‍ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅତିରିକ୍ତ ବଜେଟ୍‍ ସହ ଆଇପିସି, ସିଆରପିସି, ଏଭିଡେନ୍ସ ଆଇନ ଭଳି ବ୍ରିଟିଶ୍‍ ସମୟର ଆଇନଗୁଡ଼ିକରେ ସଂଶୋଧନ ପ୍ରସ୍ତାବ ଉପସ୍ଥାପନ ହୋଇପାରେ। ଏଥିଲାଗି ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥର ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ। ୨୨ ତାରିଖ ଯାଏ ଚାଲିବାକୁ ସ୍ଥିର ହୋଇଛି।  ଏହି ଅଧିବେଶନରେ ୧୫ଟି କାର୍ଯ୍ୟ ଦିବସ ରହିଛି। ନିର୍ବାଚନକୁ ଯିବା ପୂର୍ବରୁ ଏହା ଶେଷ ପୂର୍ଣ୍ଣକାଳୀନ ଅଧିବେଶନ ହେବ। ଅର୍ଥାତ୍‍ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଜେଣ୍ଡାକୁ ପୂର୍ଣ୍ଣ ରୂପ ଦେବା ଲାଗି ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ରହିବ। ମିଳିଥିବା ସୂଚନା ଅନୁସାରେ ସରକାର ଏହି ଅଧିବେଶନରେ ଜମ୍ମୁ -କଶ୍ମୀର  ବିଧାନସଭାରେ ଆସନ ସଂଖ୍ୟା ବଢ଼ାଇବା ଲାଗି ଏକ ପ୍ରସ୍ତାବ ଆଗତ କରିପାରନ୍ତି। ପ୍ରସ୍ତାବ ପାରିତ ହେଲେ ଜମ୍ମୁ କଶ୍ମୀର ବିଧାନସଭାର ଆସନ ସଂଖ୍ୟା ୧୧୪କୁ ବୃଦ୍ଧି ପାଇବ।  ଏବେ ଏହି ବିଧାନସଭାର ଆସନ ସଂଖ୍ୟା ୧୦୭ ରହିଛି। ପାକ୍‍ ଅଧିକୃତ କଶ୍ମୀର ବିସ୍ଥାପିତଙ୍କ ସମେତ କଶ୍ମୀରକୁ ଆସି ବସତି ସ୍ଥାପନ କରିଥିବା ଜନତା ଓ ଅନୁସୂଚିତ ଜନଜାତିଙ୍କ ଲାଗି ବିଧାନସଭାରେ ସ୍ଥାନ ସୃଷ୍ଟି କରିବା ଲାଗି ଏହି ବିଲ୍‍ ଉଦ୍ଦିଷ୍ଟ ହେବ। ବିଜେପି ସରକାର ସମୟରେ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଧାନସଭାକୁ ଭଙ୍ଗ କରାଯାଇଛି। ଜମ୍ମୁ -କଶ୍ମୀର  ଏବଂ ପୁଡୁଚେରୀ ବିଧାନସଭାରେ ମହିଳାମାନଙ୍କ ପାଇଁ ଆରକ୍ଷଣ ବୃଦ୍ଧି ଲାଗି ସରକାର ପ୍ରସ୍ତାବ ଆଣିପାରନ୍ତି। ନିକଟରେ ସ୍ୱତନ୍ତ୍ର ସଂସଦୀୟ ଅଧିବେଶନରେ ସରକାର ମହିଳାଙ୍କ ପାଇଁ ଆରକ୍ଷଣ ବିଲ୍କୁମ ସଂସଦରେ ଉପସ୍ଥାପନ କରି ପାରିତ କରାଇଥିଲେ। ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ରାଜ୍ୟମାନଙ୍କରେ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ଆଇନରେ ସଂଶୋଧନ ପ୍ରସ୍ତାବକୁ ସରକାର ଆଗତ କରିପାରନ୍ତି। ୧୮୬୦ ଭାରତୀୟ ପିଙ୍ଗଳ କୋଡ୍ରେବ ସରକାର ସଂଶୋଧନ ଆଣି ଏହାକୁ ଭାରତୀୟ ନ୍ୟାୟ ସଂହିତା ଭାବେ ପରିଚୟ ଦେବାକୁ ଏକ ସ୍ୱତନ୍ତ୍ର ବିଧେୟକ ସଂସଦରେ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ଏହା ଭାରତୀୟ ନ୍ୟାୟ ସଂହିତା ୨୦୨୩ ଭାବେ ପରିଚିତ ହେବ। ଠିକ୍‍ ସେହିପରି ଅପରାଧିକ ମାମଲାର ବିଚାର ଲାଗି ଉଦ୍ଦିଷ୍ଟ କ୍ରିମିନାଲ୍‍ ପ୍ରସିଜ୍ୟୋର କୋଡ୍‍ ବା ସିଆରପିସି ୧୯୭୩ରେ ମଧ୍ୟ ସରକାର ସଂଶୋଧନ ଆଣିବେ। ଏଥିଲାଗି ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍‍ ୨୦୨୩ ଉପସ୍ଥାପନ ହେବ। ଇଣ୍ଡିଆନ୍‍ ଏଭିଡେନ୍ସ ଆକ୍ଟ ୧୮୭୨ରେ ପରିବର୍ତ୍ତନ ଆଣି ସରକାର ଭାରତୀୟ ସାକ୍ଷ ବିଲ୍‍ ୨୦୨୩ ଉପସ୍ଥାପନ କରିବେ। ଅଗଷ୍ଟ ୧୧, ୨୦୨୩ରେ ଏହି ବିଲ୍‍ ଲୋକସଭାରେ ଉପସ୍ଥାପନ କରାଯାଇଥିଲା।  ଏହାବ୍ୟତୀତ ସରକାର ଅତିରିକ୍ତ ବଜେଟ୍‍ ଉପସ୍ଥାପନ ସହ ଏହାକୁ ପାରିତ କରିବା ପାଇଁ ମଧ୍ୟ ସଂସଦରେ ପ୍ରସ୍ତାବ ଉପସ୍ଥାପନ କରିବେ। ବିରୋଧି ଦଳଗୁଡ଼ିକ ପାଇଁ ମଧ୍ୟ ଏହି ଅଧିବେଶନ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରମୁଖ ପ୍ରସଙ୍ଗ ଭାବେ ୫ ରାଜ୍ୟର ନିର୍ବାଚନ ସ୍ଥାନ ପାଇବ। ଯେହେତୁ ସଂସଦ ଆରମ୍ଭ ହେବାର ପୂର୍ବଦିନ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ, ତାହା ସଂସଦରେ ରାଜନୀତିକ ଆଲୋଚନା ଲାଗି ସୁଯୋଗ ସୃଷ୍ଟି କରିବ। ଏହାବ୍ୟତୀତ ସରକାରଙ୍କୁ ଦରଦାମ ବୃଦ୍ଧି, ବୈଦେଶିକ ନୀତି, ମୂଦ୍ରା ମୂଲ୍ୟ ହ୍ରାସ ପ୍ରଭୃତିକୁ ନେଇ ବିରୋଧୀ ଆଲୋଚନା କରିପାରନ୍ତି। ପୁଣି ସାଂସଦ ମହୂଆ ମୈତ୍ରଙ୍କ ନାଁରେ ଆସିଥିବା ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାର ତଦନ୍ତ କରୁଥିବା ସଦାଚାର କମିଟି ତାଙ୍କୁ ଦୋଷୀ ଅଭିହିତ କରି ଦେଇଥିବା ରିପୋର୍ଟ ଉପସ୍ଥାପନ ହୋଇପାରେ।

Show More

Related Articles

Back to top button