Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଉରକେଲାର ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟ ବିବେଚିତ ହେବେ କି?

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କେବଳ ଜଣେ ସଫଳ ବ୍ୟବସାୟୀ ନୁହନ୍ତି, ରାଜନୈତିକ କ୍ଷେତ୍ରରେ ଜଣେ ଚର୍ଚ୍ଚିତ ଚେହେରା। ରାଉରକେଲାରେ ତାଙ୍କ ସହିତ ଲୋକଙ୍କ ସମ୍ପର୍କ ବଦୁତ ଭଲ ରହିଛି। ଉଭୟ ରାଉରକେଲା ଓ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ତାଙ୍କ ଉପରେ ନିର୍ଭର କରିଥାଏ। ଗତ ବିଧାନସଭା ନିର୍ବାଚନରୁ ଏହା ପ୍ରମାଣିତ ହୋଇସାରିଛି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦିଲୀପ ରାଉରକେଲା ବିଧାନସଭା ଆସନରୁ କୌଣସି ରାଜନୈତିକ ଦଳ ନୁହେଁ, ବରଂ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଯାଉଥିବା ନେଇ ସହରରେ ଚର୍ଚ୍ଚା ହେଉଛି। ଦିଲୀପଙ୍କ କିଛି ଘନିଷ୍ଠ ସମର୍ଥକଙ୍କ ମୁହଁରୁ ମଧ୍ୟ ଏହା ଶୁଣିବାକୁ ମିଳୁଛି। ଗତ କିଛି ଦିନ ତଳେ ଦିଲୀପ ରାଉରକେଲା ଆସିଥିଲେ। ମାତ୍ର ଦୁଇ ଦିନ ରହଣି ମଧ୍ୟରେ ୨୨ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କେବଳ ଏତିକି ନୁହେଁ, ପାନପୋଷ ରୋଡସ୍ଥ ନିଜ ବାସଭବନ ‘କଲ୍ୟାଣୀ’ରେ ସାରଦା ବିରୋଧୀ ଗୋଷ୍ଠୀଙ୍କ ସହ ରଘୁନାଥପାଲୀ, ବୀରମିତ୍ରପୁର ଓ ରାଉରକେଲା ବିଧାନସଭା କ୍ଷେତ୍ରର ବହୁ ପୁରୁଖା ନେତାଙ୍କ ସହ ନିର୍ବାଚନ ସମୀକରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିଧାୟକ ମଙ୍ଗଳା କିସାନ, ବୀରମିତ୍ରପୁର ପୂର୍ବତନ ବିଧାୟକ ତଥା ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ଓ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ପ୍ରମୁଖ ସହଯୋଗୀ। ଜର୍ଜ ତିର୍କୀ ପୂର୍ବରୁ ବୀରମିତ୍ରପୁର ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେବାକୁ ଘୋଷଣା କରିସାରିଛନ୍ତି। ସେପଟେ ନିକଟରେ ବିଜେଡିରୁ ବହିଷ୍କୃତ ବିଜେଡି ଯୁବ ନେତା ରବୀନ୍ଦ୍ର ପ୍ରଧାନ ସିଧାସଳଖ ରାଉରକେଲା ବିଧାୟକ ସାରଦାଙ୍କ ବିରୋଧରେ ବର୍ଷିବା ଓ ଏହାକୁ ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିସାନ ସମର୍ଥନ କରିବା ପରେ ରାଉରକେଲା ରାଜନୀତି ଆହୁରି ଅଧିକ ସରଗରମ ହୋଇଛି। ଅବଶ୍ୟ ରାଉରକେଲା ବିଧାୟକ ତଥା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ ରାଜନୀତିରେ ଜଣେ ଭଲ ସଙ୍ଗଠନ ଓ ପରିଶ୍ରମୀ। ହେଲେ ତାଙ୍କ ବିରୋଧୀଗୋଷ୍ଠୀ ଏକଜୁଟ ହୋଇ ଦିଲୀପଙ୍କୁ ଭେଟିବା‌, ଦିଲୀପ ସେମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେବାକୁ କହିବା ସହ ଦୁର୍ଗା ପୂଜା ପୂର୍ବରୁ ଓ ପରେ ପ୍ରାୟ ଦେଢ଼ ମାସ ସହରରେ ରହିବାକୁ ମଧ୍ୟ କହିଛନ୍ତି। ଦିଲୀପଙ୍କ ଏଭଳି ନିଷ୍ପତ୍ତି କେବଳ ରାଉରକେଲାରେ ନୁହେଁ ଅନ୍ୟ ଦୁଇଟି ବିଧାନସଭା କ୍ଷେତ୍ରରେ ସାରଦାଙ୍କ ନେତୃତ୍ବକୁ ବଡ଼ ଝଟକା ଲାଗିପାରେ। ସୂଚନା ଅନୁସାରେ ଦିଲୀପ ୧୯୮୫ ମସିହାରେ ରାଉରକେଲାରୁ ତାଙ୍କର ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହାପରେ ରାଉରକେଲା ଏନ୍‌ଏସି ନିର୍ବାଚନରେ ବିଜୟୀ ହୋଇ ସେ ଅଧ୍ୟକ୍ଷ ହୋଇଥିଲେ।ପରେ ପରେ  ଜନତା ପାର୍ଟିରୁ ବିଜୟୀ ହୋଇ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ରାଉରକେଲାର ବିଧାୟକ ଥିଲେ। ତା ପରେ ୧୯୯୦ରୁ୧୯୯୫ ପର୍ଯ୍ୟନ୍ତ ଜନତା ଦଳରୁ ବିଜୟୀ ହୋଇ ରାଉରକେଲାରେ ବିଧାୟକ ହୋଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ଟିକେଟରେ ସାରଦା ନାୟକଙ୍କୁ ପରାସ୍ତ କରି ବିଧାୟକ ଥିଲେ। ଏଥିସହ ୧୯୯୬ରୁ ୨୦୦୨ ଓ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ ଥିଲେ। ଏହି ସମୟରେ ସେ କେନ୍ଦ୍ର କୋଇଲା, ଇସ୍ପାତ ଆଦି ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ସେ ଓ ଜନତା ଦଳର କିଛି ନେତାଙ୍କୁ ନେଇ ବିଜେଡି ପ୍ରତିଷ୍ଠା କରିଥିଲେ।

Show More

Related Articles

Back to top button