Breaking PLUSଦେଶ ବିଦେଶ

ଭାରତକୁ ତେଲ ଉପରେ ଦେଉଥିବା ରିହାତି ବନ୍ଦ କରିଦେଇଛି ରୁଷ

ବିଶ୍ୱର ତୃତୀୟ ସବୁଠାରୁ ବଡ ଅଶୋଧିତ ତେଲ ଆମଦାନୀ କରୁଥିବା ଦେଶ ଭାରତ ୨୦୨୨ରେ ସବୁଠାରୁ ଅଧିକ ରୁଷ ୟୁରାଲ କ୍ରୟ କରିଥିଲା । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ପଶ୍ଚିମ ଦେଶଗୁଡିକ ରୁଷ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧ ଲଗାଇ ଦେଇଥିଲେ । ଏହା ସହିତ ଏହାର ତେଲ ବଜାର ଉପରେ ବି ପ୍ରତିବନ୍ଧ ଲଗାଇ ଦେଇଥିଲେ । ଫଳରେ ଏହା ଏସିଆକୁ ଏହାର ବଡ ବଜାର ବୋଲି ଭାବୁଥିଲା ।ତେଣୁ ରୁଷ ପୂର୍ବରୁ ରିହାତି ଦରରେ ଭାରତକୁ ଅଶୋଧିତ ତେଲ ଯୋଗାଣ କରୁଥିଲା । କିନ୍ତୁ ଏବେ ଏହାଠାରୁ ବହୁତ ଉଚ୍ଚା ଦରରେ ଭାରତକୁ ତେଲ ବିକ୍ରୀ କରୁଛି । ଅକ୍ଟୋବର ଲାଗି ଯେଉଁଁ ତେଲ ରୁଷରୁ ଭାରତକୁ ଆସୁଛି ତାହା ପଶ୍ଚିମ ଦେଶ ପକ୍ଷରୁ ରୁଷୀୟ ତେଲ ଉପରେ ଲଗାଯାଇଥିବା ପ୍ରାଇସ୍ କ୍ୟାପ ଠାରୁ ବହୁତ ଅଧିକ । ଏବେ ରୁଷ ଭାରତକୁ ବ୍ୟାରେଲ ପ୍ରତି ୮୦ ଡଲାର ମୂଲ୍ୟରେ ତେଲ ବିକ୍ରୀ କରୁଛି ଯାହା ପଶ୍ଚିମ ଦେଶ ପକ୍ଷରୁ ରୁଷର ତେଲ ଉପରେ ଲଗାଯାଇଥିବା ପ୍ରାଇସ୍ କ୍ୟାପ ଠାରୁ ୨୦ ଡଲାର ଅଧିକ । ପଶ୍ଚିମ ଦେଶଗୁଡିକ ରୁଷର ରାଜସ୍ୱକୁ ପ୍ରଭାବିତ କରିବା ଲାଗି ଏହାର ତେଲ ଉପରେ ବ୍ୟାରେଲ ପ୍ରତି ୬୦ ଡଲାରର ପ୍ରାଇସ କ୍ୟାପ ଲଗାଇ ଦେଇଥିଲେ । ତେବେ ରୁଷ ତେଲ ମୂଲ୍ୟରେ ଏହି ବୃଦ୍ଧି ଏଥିପାଇଁ ଘଟିଛି କାରଣ ସାଉଦି ଆରବ ଓ ରୁଷ ମିଳିତ ଭାବରେ ତେଲ ଉତ୍ପାଦନ ହ୍ରାସ କରି ଦେଇଛନ୍ତି । ଏହା ପଛରେ ସେମାନଙ୍କ ଉଦ୍ଦେଶ୍ୟ ରହିଛି ତେଲ ଦର ବୃଦ୍ଧି କରିବା । ବ୍ୟବସାୟିକ ତଥ୍ୟ ଅନୁଯାୟୀ ଅକ୍ଟୋବରରେ ବାଲ୍ଟିକ ବନ୍ଦରରୁ ଲୋଡ୍ ହୋଇଥିବା ୟୁରାଲ କାର୍ଗୋ ମୂଲ୍ୟ ଗୁରୁବାର ଭାରତର ଗ୍ରାହକଙ୍କ ଲାଗି ବ୍ୟାରେଲ ପ୍ରତି ୮୦ ଡଲାର ଥିଲା । ପୂର୍ବରୁ ରୁଷ ତେଲ ଉପରେ ଭାରତକୁ ବ୍ୟାରେଲ ପ୍ରତି ୪ରୁ ୫ ଡଲାର ରିହାତି ମିଳୁଥିଲା । ରୁଷ ତେଲ ମହଙ୍ଗା ହେବା ସତ୍ତ୍ୱେ ବି ଭାରତ ଏହା କିଣିବାକୁ ବାଧ୍ୟ । କାରଣ ଭାରତ ପାଖରେ ଯେଉଁ ବିକଳ୍ପ ରହିଛି ତାହା ମଧ୍ୟ ଏହାଠାରୁ ଅଧିକ ମହଙ୍ଗା ବୋଲି କୁହାଯାଉଛି । ବିଶ୍ୱ ସ୍ତରରେ ତେଲର ଅଭାବ ମଧ୍ୟରେ ରୁଷ ଡିଜେଲ ଓ ଗ୍ୟାସୋଲିନ ରପ୍ତାନୀ ଉପରେ ବି ପ୍ରତିବନ୍ଧ ଲଗାଇ ଦେଇଛି ।

Show More

Related Articles

Back to top button