ଭକ୍ତି

ନୂଆ ବର୍ଷରେ ଶ୍ରୀ ମନ୍ଦିରରେ ଲାଗୁ ହେବ ନୂଆ ନିୟମ

ନୂଆବର୍ଷରେ ନୂଆ ରୂପ ନେବାକୁ ଯାଉଛି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର । ଶ୍ରୀମନ୍ଦିରରେ ବିଭିନ୍ନ ନିୟମରେ ପରିବର୍ତ୍ତନ ଆଣିବେ ପ୍ରଶାସନ । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଭକ୍ତଙ୍କ ପାଇଁ ଅନେକ କଟକଣା ଲାଗୁ କରାଯିବ । ଶ୍ରଦ୍ଦାଳୁଙ୍କ ପୋଷାକରୁ ଆରମ୍ଭ କରି ସେମାନଙ୍କ ଅନ୍ୟାନ୍ୟ ଅଭ୍ୟାସ ଥିଲେ ମନ୍ଦିର ଭିତକୁ ଯିବାର ଅନୁମତି ମିଳିପାରିବ ନାହିଁ । ତେବେ ଆସନ୍ତା ନୂଆବର୍ଷରୁ ଏହିସବୁ ନିୟମ ଲାଗୁ କରାଯିବ । ତେଣୁ ମନ୍ଦିର ଯିବା ପୂର୍ବରୁ ଆପଣ ମଧ୍ୟ ଜାଣି ରଖିବା ଉଚିତ୍ ଏହିସବୁ ନିୟମ । ବର୍ତ୍ତମାନ ଏକ ନୂଆ ନିୟମ ଲାଗୁ କରିବା ନେଇ ସୂଚନା ଶ୍ରୀମନ୍ଦିର ନୀତି ସବ୍ କମିଟିରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ-ଗୁଟଖା ଇତ୍ୟ୍ୟାଦିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି କମିଟି । କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁମାନଙ୍କୁ ପାନ ଗୁଟଖା ଆଦି ଖାଇବା ବାରଣ କରିବା ପାଇଁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହାସହ ସେବାୟତମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ପାଳନ କରିବାକୁ ପଡ଼ିବ । ବଡ଼ ଦେଉଳରେ ଶାଳୀନତା ରକ୍ଷା କରିବା ନେଇ ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିରର ନୀତି ସବ୍ କମିଟି । ଏ ସମ୍ପର୍କରେ ଅନୁଷ୍ଠିତ ହୋଇଥିବା ବୈଠକରେ ପାନ-ଗୁଟଖା ବ୍ୟାନ୍ କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ଏକ ରାମ୍ପ୍ ବ୍ୟବସ୍ଥା କରାଯାଉଛି । ଏହାବ୍ୟତୀତ ଏହି ନୂଆବର୍ଷରୁ ଭକ୍ତମାନଙ୍କ ପୋଷାକ ଉପରେ ଧ୍ୟାନ ଦିଆଯିବ । ଶାଳୀନତା ପୂର୍ବକ ପୋଷାକ ଥିଲେ ହିଁ ମନ୍ଦିର ଭିତରକୁ ପଶିବାର ଅନୁମତି ପାଇବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ଶାଳୀନତା ପୋଷାକ ପିନ୍ଧିଥିଲେ ହିଁ ମନ୍ଦିର ଭିତରକୁ ଯିବା ପାଇଁ ସେମାନଙ୍କୁ ଅନୁମତି ମିଳିପାରିବ । ଚିରା-ଫଟା କିମ୍ବା ଛୋଟ ଡ୍ରେସ ପିନ୍ଧିଥିଲେ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ଦିଆଯାଇ ପାରିବ ନାହିଁ । ଆସନ୍ତା ନୂଆବର୍ଷରୁ ଭକ୍ତମାନଙ୍କ ପାଇଁ ଏହି ‘ପୋଷାକ’ କଟକଣା ଲାଗୁ କରାଯିବ । ଏହାସହିତ ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାର ତଦନ୍ତ ଦାୟିତ୍ୱ ଜେଟିପି ଏବଂ ପ୍ରତିହାରୀ ସେବକଙ୍କ ଉପରେ ନ୍ୟସ୍ତ କରାଯାଇଛି । ତେବେ ମନ୍ଦିର ଭିତରକୁ ଯିବା ପାଇଁ କେଉଁ ବୟସର ବ୍ୟକ୍ତି କେଉଁ ପ୍ରକାର ପୋଷାକ ପିନ୍ଧିପାରିବେ, ସେ ନେଇ ସୂଚନା ଦେଇଛି ମନ୍ଦିର ପରିଚାଳନା କମିଟି ।

Show More

Related Articles

Back to top button