Breaking PLUSଓଡ଼ିଶାଭକ୍ତି

ଆଜି ଶ୍ରୀକ୍ଷେତ୍ରକୁ ଯିବ ପ୍ରଥମାଷ୍ଟମୀ ଭାର

ମଙ୍ଗଳବାର ପ୍ରଥମାଷ୍ଟମୀ । ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇ ପୋଢୁଆଁ ହେବେ ଘରର ବଡ଼ ପୁଅ ଓ ଝିଅ । ସେପଟେ ମାର୍ଗଶୀର ଅଷ୍ଟମ ତିଥିରେ ଶ୍ରୀମନ୍ଦିରରେ ମଧ୍ୟ ପୋଢୁଆଁ ହେବେ ବଡ଼ଠାକୁର ।ତେବେ ପ୍ରଥମାଷ୍ଟମୀ ଉପଲକ୍ଷେ ନିଆଳି ଶ୍ରୀମାଧବ ପୀଠରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର । ନିଆଳିର ପ୍ରଭୁ ମାଧବାନନ୍ଦଜୀଉ ହେଉଛି ମହାପ୍ରଭୁଙ୍କ ମାମୁଁ ଘର । ବହୁ ପୂର୍ବରୁ ପ୍ରଭୁ ମାଧବାନନ୍ଦଙ୍କ ମନ୍ଦିରରେ ଅନେକ ଭୂସମ୍ପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦିଆଯାଇଥିଲା । ସେହି ଜମି ଉତ୍ପାଦିନ ସାମଗ୍ରୀକୁ ଆଣାଯାଇ ବଡ଼ ଦେଉଳରେ ପୋଢୁଆଁ ଭାର ରୂପେ ଦିଆଯାଉଥିଲା । ପରେ କୌଣସି କାରଣବଶତଃ ଏହା ପାଳନ ହୋଇପାରି ନଥିଲା । ପରେ ନିଆଳି ବାସିନ୍ଦା ଏକତ୍ର ନିଷ୍ପତି ନେଇ ଗତ ୩ରୁ ୪ ବର୍ଷ ହେବ ମହାପ୍ରଭୁଙ୍କ ପାଇଁ ପୋଢୁଆଁ ଭାର ଆଣି ଶ୍ରୀ ମନ୍ଦିରରେ ଦେଇଛନ୍ତି । ପ୍ରଥମାଷ୍ଟମୀ ଉପଲକ୍ଷେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ଠାକୁର, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ଯିବ ପାଟବସ୍ତ୍ର ସହ ପୋଢୁଆଁ ଭାର । ଏଥିରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼ ସହ ବିଭିନ୍ନ ପ୍ରକାରର ଫଳମୂଳ ତୁଳସୀ ଓ ପଦ୍ମଫୁଲ ରହିଥାଏ । ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ନୃତ୍ୟ କରାଯାଇ ଏହି ପୋଢୁଆଁ ଭାର ଶ୍ରୀମନ୍ଦିରକୁ ଆସିଥାଏ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି । ଅଳ୍ପ ସମୟ ମଧ୍ଯରେ ପୋଢୁଅଁ ଭାର ଶ୍ରୀମନ୍ଦିର ଅଭିମୁଖେ ବାହାରିବ । ଏନେଇ କଟକ ଜିଲ୍ଲା ନିଆଳି ମାଧବାନନ୍ଦଜୀଉ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ପ୍ରକାଶ ଥାଉ କି, ସେପଟେ ଆଜି ପବିତ୍ର ମାର୍ଗଶୀର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ପ୍ରାୟ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିପାଇଁ ଅପରାହ୍ନ ୫ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button