Breaking PLUSଶିକ୍ଷା

ଏନ୍‌ଆଇଟିରେ ପ୍ରସ୍ତୁତ ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ପରିସରରେ ସ୍ଥାପନ ହେବାକୁ ଯାଉଛି ନୂଆ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ। ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପୁଅଝିଅ ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟ ମାନର ସ୍କୁଲ ଶିକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ ଏନ୍‌ଆଇଟି ପକ୍ଷରୁ ପ୍ରକଳ୍ପଭାବେ ଏହି ବିଦ୍ୟାଳୟ ସ୍ଥାପନ କରାଯିବ। ଏହି କେଭିର ପରିଚାଳନା ବାବଦକୁ ବ୍ୟୟ ହେବାକୁଥିବା ଅର୍ଥ ଖୋଦ୍‌ ଏନ୍‌ଆଇଟି ବହନ କରିବ। ନିକଟ ଅତୀତରେ ଏନ୍‌ଆଇଟି ବୋର୍ଡ‌୍ ଅଫ୍‌ ଗଭର୍ଣ୍ଣର୍ସ‌୍(ବିଓଜି) ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୦ ତାରିଖରେ ରାଉରକେଲା ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଦ୍ୟାଳୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶିକ୍ଷାର ମାନ ବୃଦ୍ଧି ପାଇଁ ନୂତନ ଶିକ୍ଷାନୁଷ୍ଠାନ ସ୍ଥାପନକୁ ସ୍ବାଗତ କରାଯାଇଛି। ଅପରପକ୍ଷରେ ଏନ୍‌ଆଇଟିର ଏକାଧିକ ସୁବିଧା, ଭିତ୍ତିଭୂମି ସ୍ଥାପନକୁ ସମପରିମାଣରେ ପ୍ରାଧାନ୍ୟ ଦେବାକୁ ଦାବି ହେଉଛି। ଏନ୍‌ଆଇଟିରେ ୪୮୫ଟି ଶିକ୍ଷକ ଓ ୫୪୦ଟି ଅଣଶିକ୍ଷକ ପଦବି ଅନୁମୋଦିତ। ସଂପ୍ରତି ରାଉରକେଲା ଓ ବନ୍ଧମୁଣ୍ଡାରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ତେବେ ଉଭୟ ସ୍କୁଲରେ ଏନ୍‌ଆଇଟି ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପିଲା ପାଠପଢ଼ିବାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ସହରରେ ଥିବା ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ବ୍ୟୟବହୁଳ ହୋଇଥିବାରୁ ବିଶେଷକରି ଅନୁଷ୍ଠାନର ଅଣଶିକ୍ଷକ କର୍ମଚାରୀଙ୍କ ପିଲା ଶିକ୍ଷାଗ୍ରହଣ କରିପାରୁନାହାନ୍ତି। ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେଲେ ଏହି ସମସ୍ୟା ଦୂର ହୋଇପାରିବ ଓ କର୍ମଚାରୀ ଉପକୃତ ହେବେ। ତେବେ ପ୍ରୋଜେକ୍ଟ ମୋଡ୍‌ରେ ଚାଲିବାକୁଥିବା ଏହି ସ୍କୁଲରେ ଆଭ୍ୟନ୍ତରୀଣ ସମ୍ବଳ ଉତ୍ପାଦନ (ଆଇଆର୍‌ଜି) ପାଣ୍ଠିରୁ ଖର୍ଚ୍ଚ ବ୍ୟୟ କରାଯିବ ବୋଲି କୁହାଯାଉଛି। ଏହି ସ୍କୁଲରେ କେନ୍ଦ୍ର ସରକାରଙ୍କ ବାର୍ଷିକ ଅନୁଦାନରୁ ବ୍ୟୟ କରାଯାଇପାରିବ ନାହିଁ। ତେବେ ଏହି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଓ ପରିଚାଳନା ବାବଦକୁ ବାର୍ଷିକ ପ୍ରାୟ ୩ କୋଟି ଟଙ୍କା ବ୍ୟୟ ହେବ। ଅପରପକ୍ଷରେ ଏନ୍‌ଆଇଟିରେ ଥିବା ୨୦ଟି ବିଭାଗର ବାର୍ଷିକ ବଜେଟ୍‌ ହେଉଛି ୨ କୋଟି। ଏହି ବାର୍ଷିକ ବଜେଟ୍‌ରେ ଅନୁଷ୍ଠାନର ଅଭିବୃଦ୍ଧି କରିବାକୁ ପ୍ରାଧାନ୍ୟ ଦେବାକୁ ଶିକ୍ଷାବିତ ମତବ୍ୟକ୍ତ କରିଛନ୍ତି।  ଆସନ୍ତା ୨୦୨୪-୨୫ ଶିକ୍ଷା ବର୍ଷରୁ ଅନୁଷ୍ଠାନରେ ଥିବା ଟିର୍‌ ବିଲ୍‌ଡିଂରେ ଅସ୍ଥାୟୀ ଶିକ୍ଷାଦାନ ଚାଲିବ। ଦୁଇ ବର୍ଷ ଭିତରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌(ସିଆଏଲ୍‌) ପକ୍ଷରୁ ଅନୁମୋଦିତ ୪୦ କୋଟି ବିନିଯୋଗରେ ଏହାର ନିଜସ୍ବ ବିଲ୍‌ଡିଂ ନିର୍ମାଣ କରାଯିବ। ସ୍କୁଲର ପରିଚାଳନା ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Show More

Related Articles

Back to top button