Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଏଥର ଭୂବନେଶ୍ୱର ଉପକଣ୍ଠରେ ଗଢି ଉଠିବ ଆଉ ଏକ ନୂଆ ସହର

ସୂଚନା ଅନୁସାରେ, ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଦେଶର ୮ଟି ରାଜ୍ୟରେ ‘ନିଉ ସିଟି’ ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରତ୍ୟେକ ରାଜ୍ୟକୁ ୧୦୦୦ କୋଟି ଟଙ୍କା ଦେବାର ଯୋଜନା ରହିଥିବା ବେଳେ ଜମି ସହିତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେବେ ନିଉ ସିଟିର ଏହି ଯୋଜନାର ଦୌଡ଼ରେ ରାଜଧାନୀ ଭୁବନେଶ୍ୱର ମଧ୍ୟ ସାମିଲ ରହିଛି ।

୮ଟି ନିଉ ସିଟି ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ନିକଟରୁ ପ୍ରସ୍ତାବ ଗ୍ରହଣ କରିଥିଲେ, ଯେଉଁଥିରେ ଓଡ଼ିଶା ଭୁବନେଶ୍ୱରକୁ ନେଇ ପ୍ରସ୍ତାବ ରଖିଛି । ଏହାପରେ କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟର ଏକ ଟିମ୍ ଓଡ଼ିଶା ଗସ୍ତରେ ଆସି ପ୍ରକଳ୍ପ ପାଇଁ ଜାଗା ପରିଦର୍ଶନ କରିସାରିଛି । ତେବେ ଏଥିପାଇଁ ୨୨ଟି ସହର ପ୍ରସ୍ତାବ ଦେଇଥିବା ବେଳେ ଏଥିମଧ୍ୟରୁ ୮ଟି ସହରକୁ ଚୟନ କରାଯିବ । ତେଣୁ ୮ଟି ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇବା ନେଇ ଖୁବ ଆଶା ରହିଛି ।

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଝାମେଲା ସହ ଜନଗହଳି ସମସ୍ୟାରୁ ମିଳିବ ମୁକ୍ତି । ସହରର ଉପକଣ୍ଠରେ ଗଢ଼ି ଉଠିବ ଆଉ ଏକ ନୂଆ ସହର । ୮୨୧ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ସହରରେ ଦେଢ଼ରୁ ୨ ଲକ୍ଷ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ବିଭିନ୍ନ ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ଆପାର୍ଟମେଣ୍ଟ ମଧ୍ୟ ଖୋଲିବା ନେଇ ପ୍ରସ୍ତୁତ ହେଉଛନ୍ତି ସରକାର । ଭୁବନେଶ୍ୱରକୁ ଏକ ନୂଆ ରୂପ ଦେବା ସହ ଉପକଣ୍ଠରେ ‘ଦ ନ୍ୟୁ ସିଟି’ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୧ ହଜାର କୋଟି ଟଙ୍କା ମଞ୍ଜୁର କରିବେ ବୋଲି ଜାଣିବାକୁ ମିଳିଛି ।

ତେବେ ଓଡ଼ିଶା ଏଥିପାଇଁ ଚୟନ ହେଲେ କେନ୍ଦ୍ର ସରକାରଙ୍କ ୧ ହଜାର କୋଟି ସହ ରାଜ୍ୟ ସରକାର ମଧ୍ୟ ଜମି ସହିତ ୧ ହଜାର କୋଟି ଟଙ୍କା ଏସଭିପିକୁ ପ୍ରଦାନ କରିବେ । ତେବେ ପିପିପି ମୋଡରେ ରାଜ୍ୟ ସରକାରଙ୍କ ସହିତ ସାମିଲ ହେବା ପରେ ଆରମ୍ଭ ହେବ ନିଉ ସିଟି ନିର୍ମାଣ କାର୍ଯ୍ୟ । ଆଉ ଏହି ଯୋଜନାରେ ୧୫-୧୮ ମହଲା ବିଶିଷ୍ଟ ବହୁତଳ କୋଠା ନିର୍ମାଣ ହେବ, ଯେଉଁଥିରେ ପ୍ରାୟ ଦେଢ଼ରୁ ୨ ଲକ୍ଷ ଲୋକ ରହିପାରିବେ । ଏହାସହିତ ସହରର ଚାରି ପାଖରେ ପରିବେଶ ଅନୁକୂଳ ନିର୍ମାଣ ସହିତ ସବୁଜିମାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।

Show More

Related Articles

Back to top button