Breaking PLUSଆଇନ କାନୁନ

ଏଥର କୁକୁର କାମୁଡ଼ିଲେ ଦାନ୍ତ ଚିହ୍ନ ପିଛା ମିଳିବ ୧୦ହଜାର କ୍ଷତିପୂରଣ

ଏଥର କୁକୁର କାମୁଡ଼ିଲେ ମିଳିବ କ୍ଷତିପୂରଣ। ଦାନ୍ତ କାମୁଡ଼ା ଚିହ୍ନ ପିଛା ୧୦ହଜାର ଟଙ୍କାର କ୍ଷତିପୂରଣ ପାଇବେ ଲୋକେ। ଆଜି ପଞ୍ଜାବ-ହରିୟାଣା ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ବୁଲା କୁକୁରମାନଙ୍କ କାମୁଡ଼ାର ଶିକାର ହେଉଥିବା ଲୋକେ ଏବେ ଏଥିପାଇଁ କ୍ଷତିପୂରଣ ପାଇପାରିବେ। ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, ବୁଲା କୁକୁର କାମୁଡ଼ିଲେ ପୀଡିତଙ୍କୁ ଦାନ୍ତ ଚିହ୍ନ ପିଛା ୧୦,୦୦୦ଟଙ୍କା କ୍ଷତିପୂରଣ ଦିଆଯାଉ । ଏହା ବ୍ୟତୀତ, ଯଦି କୁକୁର କାମୁଡ଼ିବା ଦ୍ୱାରା ଚର୍ମରେ କ୍ଷତ ସୃଷ୍ଟି ହୁଏ କିମ୍ବା ମାଂସ ବାହାରି ଯାଏ, ତେବେ ପ୍ରତି ୦.୨ ସେମି କ୍ଷତ ପାଇଁ ସର୍ବନିମ୍ନ ୨୦,୦୦୦ ଟଙ୍କାର କ୍ଷତିପୂରଣ ଦିଆଯାଉ । କୁକୁର କାମୁଡ଼ିବା ଘଟଣାରେ କ୍ଷତିପୂରଣ ଦେବାକୁ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ଶୁଣାଇ ହାଇକୋର୍ଟ ୧୯୩ଟି ପିଟିସନର ସମାଧାନ କରିଛନ୍ତି। ପଞ୍ଜାବ-ହରିୟାଣା ହାଇକୋର୍ଟ କହିଛନ୍ତି ଯେ, କ୍ଷତିପୂରଣ ଦେବା ମୁଖ୍ୟତଃ ରାଜ୍ୟର ଦାୟିତ୍ୱ ହେବ। ଯଦି ରାଜ୍ୟ ସରକାର ଚାହିଁବେ, ତେବେ କୁକୁର ସହ ଜଡ଼ିତ ଥିବା ଅଭିଯୁକ୍ତ ବ୍ୟକ୍ତି, ଏଜେନ୍ସି କିମ୍ବା ବିଭାଗରୁ କ୍ଷତିପୂରଣ ରାଶି ଆଣିପାରିବେ। ବୁଲା କୁକୁର ବା ଅନ୍ୟ ଜଙ୍ଗଲୀ ପଶୁ ରାସ୍ତାକୁ ଆସିଯାଉଥିବାରୁ ଅନେକ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ଏଥିସହ ହାଇକୋର୍ଟ ଆହୁରି କହିଛନ୍ତି ଯେ, ବୁଲା ପଶୁଙ୍କ ପାଇଁ କୌଣସି ଦୁର୍ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଏଥିପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଦରକାର।

Show More

Related Articles

Back to top button