ସ୍ୱାସ୍ଥ୍ୟ

ଯୋଗାସନ କରିବା ଦ୍ୱାରା ମହିଳାଙ୍କୁ ମିଳିଥାଏ ବହୁତ ଫାଇଦା

ଆସନ୍ତୁ ପଢିବା ସେବିଷୟରେ-

ବର୍ତ୍ତମାନର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଅନେକଙ୍କ ଠାରେ ବିଶେଷ କରି ମହିଳାଙ୍କ ଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ । ଏମିତିରେ ଦୈନିକ କିଛି ସମୟ ଯୋଗ କରିବା ସ୍ୱାସ୍ଥ୍ୟ ପକ୍ଷେ ବରଦାନ ସଦୃଶ । ଏହା ଶରୀରର ପଞ୍ଚ ଇନ୍ଦି୍ରୟ, ସ୍ନାୟୁ ତନ୍ତ୍ର, ରକ୍ତନାଡ଼ି, ଶ୍ୱାସକ୍ରିୟା ଆଦିକୁ ସୂଚାରୁରୂପେ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆତ୍ମିକ ସବୁ କ୍ଷେତ୍ରର ବିକାଶ ସମ୍ଭବ ହୋଇଥାଏ । କର୍ମଜୀବୀ ହୁଅନ୍ତୁ ଅବା ଗୃହିଣୀ ଯୋଗ ପ୍ରତ୍ୟେକଙ୍କ ଲାଗି ଉପକାରୀ ।

ଜାଣି ରଖନ୍ତୁ ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ….
ନିୟମିତ ଯୋଗାସନ କରିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା କରିଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ । ଚିଡ଼ିଚିଡ଼ା ପଣ, ଅବସାଦ ଆଦି ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ । ଏହାର ଦ୍ୱାରା ଶରୀରରେ ହରମୋନ ପରିବର୍ତ୍ତନ ଯୋଗୁଁ ବିଶେଷ କରି ଋତୁସ୍ରାବ ବିରତି ପରେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଶରୀରରେ ନମନୀୟତା ଏବଂ ଶକ୍ତି ବୃଦ୍ଧି ପାଉଥିବାରୁ ଶାରୀରିକ ପୀଡ଼ା ବିଶେଷ କରି ପିଠି, ଆଣ୍ଠୁ ଗଣ୍ଠି, ବେକ ଆଦି ସ୍ଥାନରେ ହେଉଥିବା ଯନ୍ତ୍ରଣା ଶୀଘ୍ର ଭଲ ହୋଇଯାଇଥାଏ । ଯୋଗ କରିବା ସମୟରେ ବିଭିନ୍ନ ଯୋଗମୁଦ୍ରା ଏବଂ ଶ୍ୱାସ କ୍ରିୟା ମଧ୍ୟରେ ସାମଞ୍ଜସ୍ୟ ଯୋଗୁ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସୁଚାରୁରୂପେ ହୋଇଥାଏ । ଫଳରେ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱର ଭଲ ହେବା ଯୋଗୁଁ ତ୍ୱଚା ଏବଂ ଅନ୍ତ ଅଙ୍ଗ ଗୁଡ଼ିକ ମଧ୍ୟ ସୁସ୍ଥ ରହିଥାଏ ।

ବିଭିନ୍ନ ଯୋଗାସନ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ଉନ୍ନତି କରିବା ସହ ମଣିଷକୁ ନୀରୋଗ, ଗତିଶୀଳ, ଉତ୍ସାହୀ ଏବଂ ଖୁସି ରଖିଥାଏ । ସୂଚାରୁରୂପେ ଶ୍ୱାସ ପ୍ରକ୍ରିୟାର ସମ୍ପାଦନ କରିବାରେ ବି ଯୋଗାସନର ଭୂମିକା ରହିଛି । ଏହା ବ୍ୟତୀତ ଶାରୀରିକ କାର୍ଯ୍ୟଦକ୍ଷତା ଏବଂ ସହନଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେଉଁ ମହିଳାମାନେ ଅଧିକ ସମୟ ଧରି ଗୋଟେ ସ୍ଥାନରେ ଠିଆ ହୋଇ ରୋଷେଇ କରୁଛନ୍ତି, ବସି ଅଫିସରେ କାମ କରୁଛନ୍ତି କିମ୍ବା ଗାଡ଼ି ଚଳାଉଛନ୍ତି ସେମାନେ ନିୟମିତ ଯୋଗ କରିବା ଜରୁରୀ । ବର୍ତ୍ତମାନ ମେଦ ବହୁଳତା ଅଧିକାଂଶ ମହିଳାଙ୍କ ଲାଗି ଏକ ବଡ଼ ସମସ୍ୟା ପାଲଟିଛି । ଆଉ ଏଥିଯୋଗୁ ଡାଇବେଟିସ୍, ରକ୍ତଚାପ ଭଳି ସମସ୍ୟା କମାଇ ଫିଟ ରଖିବା ଲାଗି ଯୋଗାସନ ବେଶ ଉପକାରୀ । ଯୋଗାସନ କରିବା ଦ୍ୱାରା ହାର୍ଟ ଏବଂ ଧମନୀ ସୁସ୍ଥ ରହିଥାଏ । ଅପରପକ୍ଷେ ରକ୍ତ ସଞ୍ଚାଳନ ଭଲ ଭାବେ ହେବା କାରଣରୁ ମଧ୍ୟ ହୃଦ୍ରୋଗ ଆଶଙ୍କା କମିଥାଏ ।

ନିୟମିତ ଯୋଗାଭ୍ୟାସ କଲେ ଦୃଷ୍ଟିଶକ୍ତି ଏବଂ ପାଚନ ଶକ୍ତି ବୃଦ୍ଧି ପାଇଥାଏ । ଏହା ମାଂସପେଶୀଗୁଡ଼ିକୁ ଶକ୍ତି ପ୍ରଦାନ କରିବା ସହ ମେଦ ହ୍ରାସ ଏବଂ ପତଳା ଶରୀରକୁ ବଳିଷ୍ଠ କରିଥାଏ । ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବାରେ ମଧ୍ୟ ଯୋଗାସନ ଫଳପ୍ରଦ । କେବଳ ଏତିକି ନୁହେଁ ନିୟମିତ ଯୋଗ କରିବା ଦ୍ୱାରା ସ୍ତନକର୍କଟ ଆଶଙ୍କା ମଧ୍ୟ କମିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ନିଦ୍ରାହୀନତା ଭୋଗୁଥିବା ମହିଳାଙ୍କ ଲାଗି ଏହା ଅତି ଉତ୍ତମ । ଯୋଗ ଦ୍ୱାରା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଚର୍ମ ଚିକ୍କଣ ଏବଂ ସୁନ୍ଦର ରହିଥାଏ । କେଶ ମଜଭୁତ୍ ରହିଥାଏ । ଶରୀରର ଗଠନକୁ ଏହା ସୁଠାମ କରିଥାଏ ।

ଜାଣିରଖନ୍ତୁ : ଯୋଗ କରିବାର ଉପଯୁକ୍ତ ସମୟ ହେଉଛି ସୂର୍ଯେ୍ୟାଦୟର ଅଧ ଘଣ୍ଟା ପୂର୍ବରୁ ସୂର୍ଯେ୍ୟାଦୟର ଏକ ଘଣ୍ଟା ପର୍ଯ୍ୟନ୍ତ । ତେଣୁ ଦିନର ଅନ୍ୟ କୌଣସି ସମୟ ଅପେକ୍ଷା ଆପଣ ଯଦି ଏହି ଦେଢ଼ଘଣ୍ଟା ସମୟ ମଧ୍ୟରେ ଯୋଗ କରୁଛନ୍ତି ତେବେ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ । ଯୋଗ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ ଆଦୌ ତରତର ହୋଇ ଯୋଗ କରନ୍ତୁ ନାହିଁ । ଯୋଗ କରିବା ସମୟରେ ମନକୁ ସ୍ଥିର ରଖନ୍ତୁ । ନଚେତ୍ ଏହା ଆପଣଙ୍କ ଲାଗି ଉପକାରୀ ସାବ୍ୟସ୍ତ ହେବା ବଦଳରେ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇପାରେ । ଯୋଗ କରିବାର ପ୍ରାରମ୍ଭିକ ଦିନ ଗୁଡ଼ିକରେ ଅଧିକାଂଶ ମହିଳା ଏକାସଙ୍ଗେ ବହୁତ ଯୋଗାସନ ତାହା ପୁଣି ଅଧିକ ସମୟ ପାଇଁ କରିଥାନ୍ତି । ହେଲେ ଯୋଗ କରିବାର ଶୀଘ୍ର ଫଳ ପାଇବା ଆଶାରେ ଏପରି କରିବା ଠିକ୍ ନୁହେଁ । କାରଣ ସମସ୍ତଙ୍କ ଶାରୀରିକ କ୍ଷମତା ଭିନ୍ନ ଭିନ୍ନ । ତେଣୁ ଆବଶ୍ୟକତାରୁ ଅଧିକ ଯୋଗ ଏକାଦିନେ କରିବା ଦ୍ୱାରା ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।

ତେଣୁ ପ୍ରାରମ୍ଭିକ ଦିନ ଗୁଡ଼ିକରେ ଅଳ୍ପ ଅଳ୍ପ ଯୋଗାସନ କରନ୍ତୁ ଏବଂ ଧୀରେ ଧୀରେ ଅଭ୍ୟାସ ହେବା ପରେ ଏହା ସମୟସୀମା ବଢ଼ାନ୍ତୁ । ଯଦି ଆପଣ ଗର୍ଭବତୀ ତେବେ ପୂର୍ବରୁ କରୁଥିବା ଯୋଗାସନ ନ କରି ଏ ସମୟରେ କେଉଁ ଯୋଗ କରିବା ଦରକାର ଏକ୍ସପର୍ଟଙ୍କ ପରାମର୍ଶ ନେବାପରେ କରନ୍ତୁ । ଠିକ୍ ସେହିପରି ଋତୁସ୍ରାବ ସମୟରେ ମଧ୍ୟ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ଯୋଗାସନ କେବେ ବେଡ଼, ସୋଫା ଭଳି ସୁବିଧାଜନକ ସ୍ଥାନରେ ବସି କରନ୍ତୁ ନାହିଁ । ଏହା ବଦଳରେ ଚଟାଣ ଉପରେ ଆସନ ବିଛାଇ ଯୋଗ କରନ୍ତୁ । ଯୋଗ କରିବା ଦିନ ଗୁଡ଼ିକରେ ଏହାର ଉପକାରିତା ପାଇବାକୁ ଚାହୁଁଥିଲେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ତେଲ ମସଲାଯୁକ୍ତ କିମ୍ବା ଅନ୍ୟ କୌଣସି ଗରିଷ୍ଠ ଖାଦ୍ୟ ନ ଖାଇ ସୁଷମ ଖାଦ୍ୟ ଖାଆନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ । ଯୋଗାସନ କରିବାର କିଛି ସମୟ ପୂର୍ବରୁ ୨ ଗ୍ଲାସ ପାଣି ପିଇବାକୁ ଆଦୌ ଭୁଲନ୍ତୁ ନାହିଁ ।

Show More

Related Articles

Back to top button