Breaking PLUSଦେଶ ବିଦେଶମୁଖ୍ୟ ଖବର

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ

ଭର୍ଚୁଆଲ ମୋଡ଼ରେ କରିବେ ଆଲୋଚନା

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ମୋଦି । ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବାରୁ ସ୍ଥିତି ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏହି ବୈଠକ ଆଜି ଅପରାହ୍ନ ୧୨ଟାରେ ଆରମ୍ଭ ହେବ । ଦେଶବ୍ୟାପୀ କରୋନାର ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଓ ତାଙ୍କର ମନ୍ତ୍ରାଳୟ ସଂବନ୍ଧିତ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇପାରନ୍ତି । ଆଶା କରାଯାଉଛି ଯେ, ଏହି ବୈଠକରେ ଦେଶବ୍ୟାପୀ ବୁଷ୍ଟର ଡୋଜକୁ ମାଗଣାରେ ଦିଆଯିବା ପ୍ରସ୍ତାବ ମଧ୍ୟ ଜାରି ହୋଇପାରେ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ପୂର୍ବରୁ ଗତ ଜାନୁଆରୀ ୧୩ ତାରିଖରେ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଓମିକ୍ରନ ଭାରିଆଣ୍ଟକୁ ନେଇ ଆଲୋଚନା କରିଥିଲେ । ଦେଶରେ ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ହଜାର ରହୁଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ଓ ମିଜୋରାମରେ କରୋନା ଗ୍ରାଫ ବଢିବାରେ ଲାଗିଛି । ଅନ୍ୟପଟେ ଚୀନ ସହ ଅନ୍ୟ କିଛି ଦେଶରେ ମଧ୍ୟ କୋଭିଡ ନିଜର କାୟା ବିସ୍ତାର କରୁଛି । ତେବେ କରୋନା ପୁଣି କଡ଼ ଲେଉଟାଇବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି । କରୋନାର ଚତୁର୍ଥ ଲହର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୈଠକ ହେଉଛି ।

Show More

Related Articles

Back to top button