Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ପାଣିପାଗ: ଆହୁରି ବଢିବ ଗରମ

ବର୍ଷା ବି ଗାୟବ

ପାଣିପାଗର ପୂର୍ବାନୁମାନ ଯାହା, ବର୍ତ୍ତମାନ ବର୍ଷାର ଆଶା କ୍ଷୀଣ । ଶନିବାର ନିଆଁ ବର୍ଷିଛି । ଆଗକୁ ଆହୁରି ଭୟଙ୍କର ରୂପ ନେବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବଢ଼ିଯିବ । ଉପକୂଳ ୪୦-୪୨ ଓ ଆଭ୍ୟନ୍ତରୀଣ ଓଡ଼ିଶା ୪୩-୪୬ ଡିଗ୍ରୀ ତାତିିରେ ଭାଜି ହୋଇଯିବ। ତାତିରୁ ନିସ୍ତାର ଆଶା ଦେଖାଯାଉନି । ଆସନ୍ତା ୮/୯ ଦିନ ପର୍ଯ୍ୟନ୍ତ ଏମିତି ଅସମ୍ଭାଳ ତାତି ଜାରି ରହିବ । ଗ୍ରୀଷ୍ମ ପ୍ରବାହ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି । ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ଭିତରେ ପଦାକୁ ବାହାରିବାକୁ ଥିଲେ ଘରୁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ରାଜ୍ୟରେ ଯେଉଁଭଳି କାଳବୈଶାଖୀ ଆଶା କରାଯାଉଥିଲା, ସେଭଳି ହେଲାନି । ଦିନକ ପାଇଁ ପାରଦ ଖସିବା ପରେ ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରକୋପ । ୨୨ଟି ସହରରେ ଶନିବାର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଥିଲା । ଏଥିରୁ ୯ଟି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ଥିଲା । ଶିଳ୍ପାଞ୍ଚଳ ଅନୁଗୁଳ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ପାଖାପାଖି ୪୨ ଡିଗ୍ରୀ (୪୧.୭) ତାପମାତ୍ରାରେ ଦାଉଦାଉ ହୋଇ ଜଳିଥିଲା ଭୁବନେଶ୍ୱର । ସକାଳ ୮ଟାରୁ ଆରମ୍ଭ ହୋଇଯାଇଥିଲା ଅସମ୍ଭାଳ ଗରମ । ସାରା ଦିନ ଛଟପଟ କରିଥିଲା । ସନ୍ଧ୍ୟାରେ ବି ତ୍ରାହି ନଥିଲା । ରାତି ୧୦ଟାବେଳକୁ ବି ତାପମାତ୍ରା ୩୦ ଡିଗ୍ରୀ ତଳକୁ ଖସିନଥିଲା । ଘରେ ରହିବା ବି ମୁସ୍କିଲ ହୋଇପଡ଼ିଲା । ଭୁବନେଶ୍ୱରରେ ପାରଦ ଶନିବାର ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ଥିଲା । ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି) କହିଛି, ଉତ୍ତର ପଶ୍ଚିମ-ପଶ୍ଚିମ ପଟୁ ଶୁଖିଲା ତତଲା ପବନ ଧସେଇ ପଶୁଛି ରାଜ୍ୟକୁ । ଆକାଶ ମେଘମୁକ୍ତ ଓ ବାୟୁମଣ୍ଡଳରେ ଜଳୀୟବାଷ୍ପ ନାହିଁ । ସାମୁଦ୍ରିକ ପବନ ଦୁର୍ବଳ ରହିଛି । ଏଥିପାଇଁ ଗ୍ରୀଷ୍ମ ପ୍ରବାହ ପ୍ରକୋପ ବଢ଼ିଛି । ଆଶଙ୍କା କରାଯାଉଛି, ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩ ଦିନ ଭିତରେ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ବଢ଼ିପାରେ । ଉପକୂଳ ଓଡ଼ିଶାରେ ବି ତାପମାତ୍ରା ପରିବର୍ତ୍ତନ ସମ୍ଭାବନା ଦେଖାଯାଉନି । ୨୫ରୁ ୨୭ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସହିବାକୁ ପଡ଼ିପାରେ । ଆସନ୍ତା ୨୫ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ।

୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଏବଂ ୨୭ରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ନେଇ ଆଇଏମ୍‌ଡି ସତର୍କ କରାଇଛି। ଦିନ ୧୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଏସବୁ ଜିଲ୍ଲାରେ ଶିଶୁ, ବୟସ୍କ ଏବଂ ଅସୁସ୍ଥ ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଜରୁରୀ । ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ପଦକ୍ଷେପ ନେବାକୁ ପଡ଼ିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଉଭୟ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଝାଞ୍ଜି ମାଡ଼ ହେବ । ଉପକୂଳ ଓଡ଼ିଶାରେ ପାରଦ ୪୦ରୁ ୪୨ ଡିଗ୍ରୀ ଭିତରେ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ତ୍ତମାନ ପାରଦ ୪୨-୪୩ ଡିଗ୍ରୀ ରହିବା ସମ୍ଭାବନା ଅଛି । ଆସନ୍ତା ୨୭/୨୮ ତାରିଖ ବେଳକୁ ପ୍ରଚଣ୍ଡ ହେବ ଗ୍ରୀଷ୍ମ ପ୍ରବାହ, ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ୪୪ରୁ ୪୬ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ଯଦି ଦିନ ସାଢ଼େ ୧୨ଟା ସୁଦ୍ଧା ସାମୁଦ୍ରିକ ପବନ ନ ବହେ, ତେବେ ଭୁବନେଶ୍ୱର ତାପମାତ୍ରା ବି ୪୩-୪୪ ଡିଗ୍ରୀ ହୋଇପାରେ । ଭୁବନେଶ୍ୱରରେ ଦ୍ରୁତ ସହରୀକରଣ ଓ କଂକ୍ରିଟ ଚାଦର ଯୋଗୁ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଆକାଶ ମେଘମୁକ୍ତ ଥିବାବେଳେ ବର୍ଷା ସମ୍ଭାବନା ଦେଖାଯାଉନି । ରାତି ତାପମାତ୍ରା ବି ଏବେ ୨୬-୨୭ ଡିଗ୍ରୀ ରହିବ । ୨୭ ତାରିଖବେଳକୁ ରାତି ତାପମାତ୍ରା ଆହୁରି ବଢ଼ି ୨୮ ଡିଗ୍ରୀ ଟପିପାରେ । ଆସନ୍ତା ମେ’ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ କମିଲା ଭଳି ସମ୍ଭାବନା ଏବେ ପରିଲକ୍ଷିତ ହେଉନାହିଁ ।

Show More

Related Articles

Back to top button