Breaking PLUSଓଡ଼ିଶାମୁଖ୍ୟ ଖବର

ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢିବ

ପ୍ରତି ପାଂଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ

ଭୁବନେଶ୍ୱର, 7 ମାର୍ଚ୍ଚ – ସର୍ଭିସ୍ ପ୍ରୋଭାଇଡର ଏଜେନ୍ସି ଦ୍ୱାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି । ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ ।
ଘୋଷଣା ଅନୁଯାୟୀ ସେମାନଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରାଗଯାଇଛି । ସେମାନେ ଯେପରି ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍ ସମୟରେ ପାଇପାରିବେ, ଏହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡର ଏଜେନ୍ସି ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଲୋକପାଳ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଅଭିଜ୍ଞତା ଥିବା କାର୍ମଚାରୀ ମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ । ପ୍ରତି ପାଂଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକହଜାର ଟଙ୍କା ମିଳିବ । ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ ।
ଆଉଟସୋର୍ସିଂ କର୍ମଚାରୀ ତଥା ସର୍ଭିସ୍ ପ୍ରୋଭାଇଡର ଏଜେନ୍ସିଙ୍କର ଅଭିଯୋଗ ଶୁଣାଣୀ ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ରହିବେ । ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ ସାଧାରଣ ପ୍ରଶାସନ ବିଭାଗ ଜରିଆରେ ଏକ ସଫ୍ଟୱେୟାର ଆପ୍ଲିକେସନ୍ ବିକଶିତ କରାଯିବ । ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ । ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ ।ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ୍ ପ୍ରୋଭାଇଡର ଏଜେନ୍ସି ମାନଙ୍କ ସହିତ ସପ୍ଲିମେଂଟାରୀ ଏଗ୍ରିମେଂଟ କରିବେ ।
ସୂଚନାଯୋଗ୍ୟ ଯେ ଏହି ଆଉଟସୋର୍ସିଂ କର୍ମଚାରୀ ମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ । ତଦ୍ନୁଯାୟୀ ରାଜ୍ୟ ସରକାର ନିମ୍ନୋକ୍ତ ନିଷ୍ପତି ଗ୍ରହଣ କରିଛନ୍ତି ।

Show More

Related Articles

Back to top button