Breaking PLUSଓଡ଼ିଶାମୁଖ୍ୟ ଖବର

ବରିଷ୍ଠ ନାଗରିକ ନୀତିରେ ସଂଶୋଧନ ହେବ

ଭୁବନେଶ୍ୱର, 7 ମାର୍ଚ୍ଚ- ପରିବର୍ତିତ ସାମାଜିକ-ଅର୍ଥନୈତିକ ପରିବେଶ ତଥା ଜନସଂଖ୍ୟାରେ ବୟସ୍କମାନଙ୍କ ଅନୁପାତ ବୃଦ୍ଧି ଘଟୁଥିବାବେଳେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ରେ ସଂଶୋଧନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ସଂଶୋଧିତ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫ୍ପିଏ)ର ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ସଂଶୋଧିତ ନୀତି ପ୍ରଣୟନ ନିମନ୍ତେ ବ୍ୟାପକ ବିଚାରବିମର୍ଶ ହୋଇଛି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ ଆର୍ôଥକ ପ୍ରଗତି, ସ୍ୱାସ୍ଥ୍ୟସେବାରେ ଉନ୍ନତି ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ପ୍ରଭାବକ୍ରମେ ବୟସ୍କ ନାଗରିକମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ୨୦୨୬ ବେଳକୁ ଓଡ଼ିଶାରେ ବୟସ୍କ ନାଗରିକଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷରେ ପହଞ୍ଚିଥିବ ବୋଲି କୁହାଯାଉଛି । ସମାଜରେ ବରିଷ୍ଠ ନାଗରିକମାନଙ୍କ ଜୀବନଚର୍ଯ୍ୟାରେ ବିଶେଷ ଉନ୍ନତି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ । ରାଜ୍ୟ ସରକାର ସେମାନଙ୍କ ସାମାଜିକ-ଅର୍ଥନୈତିକ ବିକାଶ, ଭାଗୀଦାରିରେ ଉନ୍ନତି, ସେମାନଙ୍କ ସେବାଯନି ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉପରୋକ୍ତ ପ୍ରସଙ୍ଗଗୁଡ଼ିକୁ ସଂଶୋଧିତ ନୀତିରେ ଅନ୍ତର୍ଭୁକ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ବୈଠକରେ ସମାଜରେ ବୟସ୍କ ଲୋକମାନଙ୍କର ଆର୍ôଥକ ଅନଗ୍ରସରତା ଓ ସମ୍ବେଦନଶୀଳତାର ଦୂରୀକରଣ, ସେମାନଙ୍କ ସ୍ୱାସ୍ଥ୍ୟ ଓ ଶରୀର ଚର୍ଚ୍ଚାରେ ଉନ୍ନତି ସମେତ ନିରାପତା, କଲ୍ୟାଣ, ଆନ୍ତଃପିଢ଼ିଗତ ସଂପୃକ୍ତି ବୃଦ୍ଧି ଏବଂ ଗୋଷ୍ଠୀ କାର୍ଯ୍ୟକଳାପରେ ସେମାନଙ୍କ ବ୍ୟାପକ ଅଂଶଗ୍ରହଣ ଇତ୍ୟାଦି ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ଓଡ଼ିଶା ମୁଖ୍ୟ ନଦିମ୍ ନୁର୍, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ, ପୂର୍ବତନ ସୂଚନା କମିଶନର ତଥା ସମାଜସେବୀ ଜଗଦାନନ୍ଦ, ମୁମ୍ବାଇସ୍ଥିତ ଆନ୍ତର୍ଜାତିକ ଜନସଂଖ୍ୟା ଅଧ୍ୟୟନ ପ୍ରତିଷ୍ଠାନର ପ୍ରଫେସର ଡ. ଟି.ଭି. ଶେଖର, ଅମରକଂଟକସ୍ଥିତ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସଞ୍ଜୀବ ବକ୍ସି, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅସୀମା ସାହୁ, ବାଗ୍ଚୀ-ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ବିଧୂକଲ୍ୟାଣ ମହାନ୍ତି, ହେଲପ୍ଏଜ୍ ଇଣ୍ଡିଆର ଗବେଷଣା ବିଭାଗ ମୁଖ୍ୟ ଅନୁପମା ଦତଙ୍କ ସମେତ ରାଜ୍ୟ ବରିଷ୍ଠ ନାଗରିକ ପରାମର୍ଶଦାତା ପରିଷଦର ସଦସ୍ୟବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଶେଷଜ୍ଞ ଡ. ପ୍ରମୋଦ କୁମାର ମଲ୍ଲିକ ସଂଯୋଜନା କରିଥିଲେ ।

Show More

Related Articles

Back to top button