ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣ

ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଆଜି ଅଣସର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡିପ୍ରସାଦ ବିଜେ କରାଯିବ। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜଙ୍କୁ ପ୍ରସାଦ ଅର୍ପଣ କରିବେ।

ଏହାପରେ ଦତ୍ତମହାପାତ୍ର ସେବାୟତମାନେ ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ। ଏହି ନୀତି ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଏହାପରେ ବୁଧବାର ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଗତକାଲି ଶ୍ରୀଜିଉଙ୍କ ଖଳି ଲାଗି ହୋଇଛି। ଶନିବାର ପତିମହାପାତ୍ର ଓ ଦଇତାପିତ ସେବାୟତ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରିବା ସହ ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା କରିଥିଲେ। ତ୍ରୟୋଦଶୀରେ ଘଣାଲାଗି ଲାଗି କରାଯାଇଛି। ପାଟରା ସେବକଙ୍କଠାରୁ ଆସିଥିବା ନାଗନାଗୁଣୀ ଘଣା ଦାରୁବିଗ୍ରଙ୍କ ଶରୀର (ପେଟ)ରେ ଲାଗି କରାଯାଇ ଗଡ଼ାବସ୍ତ୍ର ଦିଆଯାଇ ସିଲ୍‍ କରାଯାଇଥିଲା। ଏହି ନୀତି ବଢ଼ିବା ପରେ ଅଣସର ଶୁଦ୍ଧସୁଆରଙ୍କ ଘରୁ ଘଣ୍ଟ, ଛତା, କାହାଳୀ ସହ ଖଳି ହାଣ୍ଡି ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ଶୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ। ଏହାପରେ ଶ୍ରୀମୁଖ ଓତା କପଡ଼ା ପକାଯାଇଥିଲା। ଏହି ନୀତି ସମ୍ପନ୍ନ ପରେ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ଅଣାଯାଇ ଲାଗି କରାଯାଇଥିଲା ।

Show More

Related Articles

Back to top button