ଆଇନ କାନୁନଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ର

ହାତୀପଲଙ୍କ ସୁରକ୍ଷା ପାଇଁ ଲାଗୁ ହୋଇଛି ନୂଆ ନିୟମ : ଏଣିକି ରାସ୍ତା ପାର ବେଳେ ଗାଡି ଧକ୍କାରେ ଆଉ ହାତୀଙ୍କ ଜୀବନ ଜୀବନି :

ଢେଙ୍କାନାଳ : ରାସ୍ତା ପାର୍ ବେଳେ ଗାଡି ଧକ୍କାରେ ଆଉ ହାତୀପଲଙ୍କ ଜୀବନ ଜୀବନି । ଏଣିକି ବିନା ଦ୍ୱିଧାରେ ଜାତୀୟ ରାଜପଥ ପାର୍ ହୋଇପାରିବେ ହାତୀପଲ । ହାତୀପଲଙ୍କ ସୁରକ୍ଷା ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଲାଗୁ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ ‘ଅଟୋମେଟିକ ସାଇରନ ମେସିନ୍’ । ହାତୀ ରାସ୍ତା ପାର୍ ହେଉଥିବା ବେଳେ ଘାଇଁ ଘାଇଁ ବାଜିବ ସାଇରନ୍, ଜଳିବ ନାଲିବତୀ । ଅଧିକାରୀଙ୍କ ମୋବାଇଲକୁ ଯିବ ଏସ୍ଏମ୍ଏସ୍ । ରାଜ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମେ ଢେଙ୍କାନାଳ ଜିଲ୍ଲାର ସଦର ରେଞ୍ଜ ମେରାମଣ୍ଡଳୀ ସେକ୍ସନର ହାତୀ ପ୍ରବଣ ସ୍ଥାନ ରସାସିଂହ ଓ ହଳଦିଆବାହାଳ ନିକଟରେ ଲଗାଯାଇଛି ଏହି ସାଇରନ୍ । ଏଥିରେ ରହିଛି ସେନ୍ସର, ସାଇରନ, ରେଡ ଲାଇଟ ଓ ଚାର୍ଜିଂ ପାଇଁ ସୋଲାର ପ୍ଲେଟ । ହାତୀପଲ ଯେତେବେଳେ ଏହି ରାସ୍ତା ପାର ହେବେ ସ୍ୱୟଂଚାଳିତ ଏହି ଯନ୍ତ୍ରରେ ଜଳିବ ରେଡ୍ ଲାଇଟ । ଘାଇଁ ଘାଇଁ ହୋଇ ବାଜିଉଠିବ ସାଇରନ୍ । ଏହା ୧ କିଲୋମିଟର ପର୍ଯ୍ୟନ୍ତ ଶୁଭିବା ସହିତ ତୁରନ୍ତ ଏକ SMS ଅଧିକାରୀଙ୍କ ନିକଟକୁ ଯିବ । ଫଳରେ ସେହି ସମୟରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଚାଳକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଅଟକି ରହିବେ । ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସତର୍କ ହୋଇଯିବେ । ଏହାଦ୍ୱାରା କେବଳ ହାତୀପଲ ଯେ ସୁରକ୍ଷିତ ରାସ୍ତା ପାର ହେବେ ତା ନୁହେଁ ସାଧାରଣ ଲୋକ ମଧ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇପାରିବେ । ଏହି ପ୍ରୋଜେକ୍ଟ ମଣିଷ ବିବାଦକୁ କମାଇବା ସହ ହାତୀଙ୍କ ଉଦବେଗଜନକ ମୃତ୍ୟୁ ସଂଖ୍ୟା ହ୍ରାସ କରିପାରିବ ବୋଲି କହିଛନ୍ତି ପରିବେଶବିତ୍ ଶିଶିର ଶତପଥୀ । ରାଜ୍ୟରେ ପ୍ରଥମ କରି ଏହି ପାଇଲଟ ପ୍ରୋଜେକ୍ଟ ଲାଗୁ ହୋଇଛି । ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ସଫଳ ଭାବେ କାର୍ଯ୍ୟକ୍ଷମ ହେଲେ ଆଗକୁ ଜିଲ୍ଲାରେ ଏହା ଅଧିକ ମାତ୍ରାରେ ଖଞ୍ଜାଯିବ ବୋଲି କହିଛନ୍ତି ଡିଏଫ୍ଓ । ‘ପରିବର୍ତ୍ତନ’ ନାମକ ଏକ ଏନଜିଓ ସଂସ୍ଥା ଏବଂ ବନ ବିଭାଗର ମିଳିତ ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି ।

Show More

Related Articles

Back to top button