Breaking PLUSଓଡ଼ିଶାମୁଖ୍ୟ ଖବର

ଓଡିଶାକୁ ପୁଣି ବାତ୍ୟାର ଭୟ

ଉତ୍ତର ତାମିଲନାଡୁ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଛି । ହେଲେ ଆଗକୁ ବଡ଼ ବିପଦ ଆଶଙ୍କା ଦେଖାଦେଲାଣି । ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଯଦି ଠିକ୍‌ ହୁଏ, ପଞ୍ଚୁକ ବେଳକୁ ଆସିପାରେ ବାତ୍ୟା । ଏହା ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ମାଡ଼ ହେବା ନେଇ ପ୍ରାକ୍‌ ଆକଳନ ମଧ୍ୟ କରାଯାଉଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ ଏଭଳି ଆଶଙ୍କାକୁ ଏଡାଇ ପାରୁନି । ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ପାଇଁ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେ ଧୀରେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁଉଛି । ଶନିବାର ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଆଗେଇବ । ପରେ ୪୮ ଘଣ୍ଟା ଭିତରେ ବା ୧୫ ତାରିଖ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତ ରୂପ ନେବ । ଏବେ ସମୁଦ୍ର ଜଳପତ୍ତନର ଉପର ଭାଗର ତାପମାତ୍ରା ଅଧିକ ରହୁଛି । ଏହା ଅବପାତକୁ ଅଧିକ ଘନୀଭୂତ ହେବାକୁ ବଳ ଯୋଗାଇବ ।

ଆକ୍ୟୁୱେଦରର ପୂର୍ବାନୁମାନ ହେଲା, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତ ରୂପ ନେବ । ଏପରିକି ଅଧିକ ବଳ ଜୁଟାଇ ଏହା ବାତ୍ୟାରେ ପରିଣତ ହୋଇପାରେ, ଯାହାକି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହୁଛି ।ଆଇଏମ୍‌ଡି ମଧ୍ୟ କହିଛି, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହା ପରେ ବାତ୍ୟା ରୂପ ନେବାର ସମ୍ଭାବନା ନେଇ କେତେକ ମଡେଲ ଆକଳନ କରୁଛନ୍ତି । କିନ୍ତୁ ଏବେଠାରୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଆକଳନ କରିହେବନି । ଅବପାତ ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ । ଏବେ ଯେଉଁ ଲଘୁଚାପ ସକ୍ରିୟ ଅଛି, ତାର ପ୍ରଭାବରେ ରାଜ୍ୟର ପାଗ ବିଗିଡିଯାଇଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇଛି । ଗୁରୁବାର ସକାଳୁ ସନ୍ଧ୍ୟା ସୁଦ୍ଧା ପୁରୀରେ ସର୍ବାଧିକ ୬୨ ମିଲିମିଟର ବର୍ଷା ହୋଇଛି । ଗୋପାଳପୁରରେ ୩୩ ମିମି, ଛତ୍ରପୁରରେ ୫୬.୪, ନୟାଗଡ଼ରେ ୩୮ମିମି ଓ ଦାରିଙ୍ଗିବାଡିରେ ୨୦ମିମି ବର୍ଷା ହୋଇଥିବାବେଳେ ଭୁବନେଶ୍ୱର, କଟକ, ଚାନ୍ଦବାଲି, ଭବାନୀପାଟଣା, କୋରାପୁଟ ଓ ଟିଟିଲାଗଡ ସମେତ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇଛି । ଦିନତମାମ ପାଗ ମେଘୁଆ ରହିବା ସହ ମଝିରେ ମଝିରେ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇଛି ।

Show More

Related Articles

Back to top button