ଦେଶ ବିଦେଶବାଣିଜ୍ୟ

୧୨ ଟଙ୍କା ପର୍ଯ୍ୟନ୍ତ ବଢିବ ପେଟ୍ରୋଲ-ଡିଜେଲ୍ ଦାମ !

ମହଙ୍ଗା ମାଡ଼ରେ କଲବଲ୍ ହେବେ ଜନତା

ଜନତାଙ୍କ ଉପରେ ପଡିବ ମହଙ୍ଗାର ମାଡ। ଆଉ କିଛି ଦିନ ପରେ ପକେଟ୍‌ରୁ ଅଧିକ ଟଙ୍କା ଗଣିବାକୁ ପଡିବ। କାରଣ ମାର୍ଚ୍ଚ ୧୦ ପରେ ବଢିବାକୁ ଯାଉଛି ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ। ଉତ୍ତର ପ୍ରଦେଶ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନା କାରଣରୁ ଦେଶରେ ଗତ ଚାରି ମାସ ହେବ ପେଟ୍ରୋଲ-ଡିଜେଲ୍ ଦର ବଢିନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃତ୍ତି ସତ୍ତ୍ଵେ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପେଟ୍ରୋଲ-ଡିଜେଲ୍ ଦାମ ବଢାଇ ନାହାନ୍ତି। ହେଲେ ମାର୍ଚ୍ଚ ୧୦ ପରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ତେଲ ଦାମ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ୧୧ ଦିନରେ ପେଟ୍ରୋଲ ଏବଂ ଡିଜେଲ୍ ଦାମ ୧୨ ଟଙ୍କା ପର୍ଯ୍ୟନ୍ତ ବଢିପାରେ। ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ଏକ ରିପୋର୍ଟରେ ଏହି ସୂଚନା ଦେଇଛି।

ଆଇସିଆଇସିଆଇର ସଦ୍ୟତମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୬ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ୍ ଲିଟର ପିଛା ୧୨ ଟଙ୍କାରୁ ଅଧିକ ବଢିବାର ଆବଶ୍ୟକତା ରହିଛି। ତେଲ କମ୍ପାନୀଗୁଡିକର ମାର୍ଜିନକୁ ଯଦି ଯୋଡି ଦିଆଯାଏ ତେବେ ଲିଟର ପିଛା ୧୫.୧ ଟଙ୍କା ବଢିବାର ଦରକାର ବୋଲି କହୁଛନ୍ତି ତୈଳ ବିପଣନକାରୀ କମ୍ପାନୀ। କାରଣ ଗତ ଚାରି ମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢି ଆଜି ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚି ସାରିଛି। ସେପଟେ ଦେଶରେ ଚାରି ମାସ ହେବ ତେଲ ଦାମ ସ୍ଥିର ଥିବାରୁ ତୈଳ ବିପଣନକାରୀ କମ୍ପାନୀକୁ ଏହାର କ୍ଷତି ସହିବାକୁ ପଡୁଛି।

ବ୍ରୋକରେଜ୍‌ କମ୍ପାନୀ ଜେପି ମାର୍ଗନ ଏକ ରିପୋର୍ଟରେ କହିଛନ୍ତି, ଆଗାମୀ ସପ୍ତାହରେ ଦେଶର ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସଂପନ୍ନ ହେବ। ଏହା ପରେ ତେଲ ଦାମ ଦୈନିକ ଆଧାରରେ ବୃଦ୍ଧି ଘଟିବ। ତେଲ ଦର ବଢିବା ଅର୍ଥ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ନିଶ୍ଚିତ। ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ମାର୍ଚ୍ଚ ୧୦ରେ ପ୍ରକାଶ ପାଇବ।

ପେଟ୍ରୋଲିୟମ ମନ୍ତ୍ରଣାଳୟ ଅନ୍ତର୍ଗତ ଆସୁଥିବା ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଳେଷଣ ପ୍ରକୋଷ୍ଠ(ପିପିଏସି) ଅନୁଯାୟୀ, ଭାରତ ଯେଉଁ ଅଶୋଧିତ ତୈଳ କିଣୁଛି ଏହାର ଦାମ ମାର୍ଚ୍ଚ ୩ରେ ବ୍ୟାରେଲ୍ ପିଛା ୧୧୭.୩୯ ଡଲାରରେ ପହଞ୍ଚିଛି। ଇନ୍ଧନର ଏହି ମୂଲ୍ୟ ୨୦୧୨ ପରେ ସର୍ବୋଚ୍ଚସ୍ତରରେ ରହିଛି।

ଗତ ବର୍ଷ ନଭେମ୍ବର ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ୍ ଦାମ ବୃଦ୍ଧି ଉପରେ ରୋକ୍ ଲାଗିଥିଲା। ସେହି ସମୟରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାୟରେ ବ୍ୟାରେଲ୍ ପିଛା ୮୧.୫ ଡଲାର ରହିଥିଲା। ଦେଶର ଇନ୍ଧନ ମୂଲ୍ୟ ଅନ୍ତର୍ଜାତୀୟ ବଜାରର ମୂଲ୍ୟ ଉପରେ ନିର୍ଭର କରେ। କାରଣ ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତୈଳ ଆମଦାନୀ କରିଥାଏ।

Show More

Related Articles

Back to top button