ଅପରାଧସ୍ୱତନ୍ତ୍ର

ପ୍ରେମ ପାଇଁ ହେଲା ମହାଭାରତ

ଗୋଟିଏ ପ୍ରେମିକା ପାଇଁ ୨ ପ୍ରେମିକ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: ଗୋଟିଏ ଝିଅକୁ ଦୁଇଜଣ ପୁଅ ଭଲ ପାଉଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ । ଉଭୟଙ୍କ ମଧ୍ୟରେ ପ୍ରେମିକାକୁ ନେଇ ହେଇଥିଲା କଥା କଟାକଟି । ଫଳସ୍ୱରୂପ ଜଣେ ଅନ୍ୟ ଜଣକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଛି । ଅଭିଯୋଗ ପାଇ ସହିଦନଗର ଥାନା ପୁଲିସ ଆକ୍ରମଣକାରୀକୁ ଗିରଫ କରିଛି । ତାଙ୍କ ନାମ ଅବିନାଶ । ଘର ଢ଼େଙ୍କାନାଳ ବେଗୁନିଆପଡ଼ା । ସେ ଶିରିପୁରୁରେ ଏକ କ୍ୟାଟେରିଂ ସଂସ୍ଥା କରିଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, କଟକ ନିଆଳି ଅଞ୍ଚଳର ସ୍ୱିଟି ନାମରେ ଏକ ଝିଅକୁ ଢ଼େଙ୍କାନାଳ ବେଗୁନିଆପଡ଼ାର ଅବିନାଶ ଭଲ ପାଉଥିଲେ ଏବଂ ସହିଦନଗରରେ ଏକ ଘରୋଇ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଥିବା ଢ଼େଙ୍କାନାଳ ଭୂଇଁପୁରର ଆକାଶ ଶତପଥୀ ମଧ୍ୟ ଭଲ ପାଉଥିଲେ । ଦୁହିଁଙ୍କ ମଧ୍ୟରେ ଭଲ ପାଇବାରେ ଏକପ୍ରକାର ପ୍ରତିଯୋଗିତା ଲାଗିରହୁଥିଲା । ଦୁଇଜଣ ଯୁବତୀଙ୍କୁ ଉପହାର ପରେ ଉପହାର ଦେଇ ଚାଲୁଥିଲେ । ଯାହାକୁ ନେଇ ଅବିନାଶ ଓ ଆକାଶଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ସନ୍ଧ୍ୟାରେ ଅବିନାଶ ଆକାଶଙ୍କୁ ବାଣୀବିହାର ବସ୍‌ ଷ୍ଟପ୍‌କୁ ଡ଼କାଇଥିଲେ । ଆକାଶ ପହଞ୍ଚିବା ପରେ ମୁଁ ସ୍ୱିଟିକୁ ଭଲ ପାଉଛି ଓ ବିବାହ କରିବାକୁ ଚାହୁଁଛି, ତେଣୁ ତୁ ମୋ ରାସ୍ତାରୁ ହଟିଯା ବୋଲି ଧମକ ଦେଇଥିଲେ ଅବିନାଶ । ଆକାଶ ବି ସେହିପରି ଅବିନାଶଙ୍କୁ ଧମକ ଦେଇଥିଲେ, ତୁ ବି ମୋ ରାସ୍ତାରୁ ହଟିଯା । ଏଥିରେ ଅବିନାଶ ଉତ୍ତ୍ୟକ୍ତ ହୋଇ ପାଖରେ ପଡ଼ିଥିବା ଏକ ପଥର ଉଠାଇ ଆକାଶଙ୍କ ମୁଣ୍ଡକୁ ଛେଚି ଦେଇଥିଲେ ।

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକାଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅବିନାଶଙ୍କୁ ପୁଲିସ ସେଠାରୁ ଉଠାଇ ଆଣିଥିଲା । ଏନେଇ ଆକାଶ ଥାନାରେ ଅଭିଯୋଗ ଥିଲେ । ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁକରି ଅବିନାଶଙ୍କୁ ଗିରଫ କରିଥିଲା । ଅବିନାଶଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

Show More

Related Articles

Back to top button