ଓଡ଼ିଶାଖେଳଦେଶମୁଖ୍ୟ ଖବର

ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ ଜିତିଛି ଟିମ ଇଣ୍ଡିଆ

ନାପିଏର: ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ ଜିତିଛି ଟିମ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ଓ ଟି-୨୦ ବିଶ୍ୱକପରୁ ଦୁଃଖଦ ବିଦାୟ ପରେ ପ୍ରଥମ ସିରିଜ ଖେଳୁଥିବା ଭାରତ ଚତ୍ମକାର ପ୍ରଦର୍ଶନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ସିରିଜ ଖେଳୁଥିବା ଭାରତ ୧-୦ରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି।

ବର୍ଷା ଯୋଗୁଁ ୩ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଶତକ ପାଇଁ ଭାରତ ୬୫ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଆଜି ଶେଷ ମ୍ୟାଚ୍‌ରେ ମଧ୍ୟ ବର୍ଷା ବାଧା ସାଜିଥିଲା।

ନାପିଏରରେ ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୧୬୧ ରନର ପିଛା କରୁଥିବା ଭାରତ ୯ ଓଭର ସୁଦ୍ଧା ୪ ୱିକେଟ ହରାଇ ୭୫ ରନ କରିଥିଲା। ଏହି ସମୟରେ ବର୍ଷା ଲାଗି ରହିବାରୁ ଡିଏଲ ମେଥଡ ଲାଗୁ କରାଯାଇଥିଲା। ଡିଏଲ ମେଥଡ ଅନୁସାରେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୭୬ ରନ ଦରକାର ଥିଲା।

ହେଲେ ଦଳ ୭୫ ରନ କରିଥିଲା। ଡିଏଲ ମେଥଡ ଅନୁଯାୟୀ ସ୍କୋର ବରାବର ୭୫ ରନରେ ରହିଥିବାରୁ ମ୍ୟାଚ୍‌କୁ ଟାଇ ଘୋଷଣା କରାଯାଇଛି। ତୃତୀୟ ମ୍ୟାଚ୍‌ ଟାଇ ହୋଇ ଯିବାରୁ ଭାରତ ୧-୦ରେ ଟି-୨୦ ସିରଜକୁ କବଜା କରିଛି।

ଆଜିର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡର କାମଚଳା ଅଧିନାୟକ ଟିମ ସାଉଦି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ଆଶା ଅନୁସାରେ ଭଲ ଆରମ୍ଭ କରି ପାରି ନଥିଲା। ଫିନ ଆଲେନ(୩) ଓ ମାର୍କ ଚାପମ୍ୟାନ(୨) ପାୱାର ପ୍ଲେ ମଧ୍ୟରେ ପ୍ୟାଭିଲିୟନ ଫେରିଥିଲେ। ତେବେ ତୃତୀୟ ୱିକେଟ ପାଇଁ ଡେଭନ କନୱେ(୫୯) ଓ ଗ୍ଲେନ ଫିଲିପ୍ସ(୩୩ ବଲରେ ୫୪) ସ୍ଥିତି ସମ୍ଭାଳିଥିଲେ।

ଉଭୟ ଦମଦାର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୪୪ରୁ ନେଇ ୧୩୦ରେ ପହଞ୍ଚାଇଥିଲେ। ହେଲେ ମହମ୍ମଦ ସିରାଜ ପ୍ରଥମେ ଫିଲିପ୍ସ ଓ ପରେ ଅର୍ଶଦୀପ ସିଂହ ୫୯ ରନ କରିଥିବା କନୱେଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ରନ ସଂଗ୍ରହହାରରେ ବ୍ରେକ ଲଗାଇଥିଲେ।

ଏହି ଦୁଇ ଜଣ ଆଉଟ ହେବା ପରେ ବ୍ଲାକ କ୍ୟାପ୍ସର ଅନ୍ୟ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ। ଶେଷରେ ନ୍ୟୁଜିଲ୍ୟାଣ୍ଡ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୬୦ରେ ଅଟକି ଯାଇଥିଲା। ଦଳ ଶେଷ ୩୦ ରନରେ ୮ଟି ୱିକେଟ ହରାଇଛି।

Show More

Related Articles

Back to top button