ଓଡ଼ିଶାମୁଖ୍ୟ ଖବର

ଆଜି ଅକ୍ଟୋବର ୨୯, ମନେପଡ଼େ ୧୯୯୯ ମସିହା ମହାବାତ୍ୟାର ଲୋମଟାଙ୍କୁରା ଦୃଶ୍ୟ

ସମୟ ବିତିଚାଲେ ଏବଂ ତା’ ସହ ଲିଭିଯାଏ ସେହି ସମୟରେ ଘଟିଥିବା ଘଟଣା ବା ଦୁର୍ଘଟଣା । ହେଲେ ଏମିତି କିଛି ସମୟର କିଛି ସ୍ମୃତି ଥାଏ ଯାହାକୁ ମନେ ପକାଇବା ମାତ୍ରେ ସେ ଜୀବନ୍ତ ହୋଇଉଠେ । ସେହିଭଳି ଏକ ସ୍ମୃତି ବା ଦୃଶ୍ୟ ହେଉଛି ୧୯୯୯ ମସିହା ଅକ୍ଟୋବର ୨୯ର ଲୋମଟାଙ୍କୁରା ଦୃଶ୍ୟ । ଦୀର୍ଘ ୨୨ ବର୍ଷ ପୁରି ଯାଇଥିଲେ ଆଜି ବି ସେହି ଦିନକୁ ମନେ ପକାଇଲେ ଭୟରେ ଦେହ କମ୍ପି ଉଠେ । ପ୍ରକୃତିର ସେହି ଭୟଙ୍କର ରୂପ ଆଜି ବି ସେ କ୍ଷତକୁ ମନେ ପକାଇ ଦିଏ । ପ୍ରକୃତିର ତାଣ୍ଡବ ଆଗରେ ମଣିଷ ଯେ କେତେ ଅସହାୟ ତାହା ପ୍ରମାଣିତ ସେହି କରିଛି ମହାବାତ୍ୟା । ଓଡିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହେଉଛି ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ମହାବାତ୍ୟା । ସେଦିନ କେଇ ଘଣ୍ଟାର ପ୍ରକୃତିର ତାଣ୍ଡବରେ ବଦଳି ଯାଇଥିଲା ଓଡିଶାର ସ୍ଥିତି । ଆଣ୍ଡାମାନ ଦୀପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମହାବାତ୍ୟାର ରୂପ ନେଇ ରଚିଥିଲା ତାଣ୍ଡବ ଲୀଳା ।

ଏହି ମହାବାତ୍ୟାରେ ଘଣ୍ଟାପ୍ରତି ପବନର ବେଗ ୩୦୦କିଲୋମିଟରରୁ ଅଧିକ ଥିଲା । ପବନ ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା ଦୋହଲାଇ ଦେଉଥିଲା ଓଡିଶାର ମେରୁଦଣ୍ଡ । ଓଡ଼ିଶା ଉପକୂଳ ଅଞ୍ଚଳ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଏବଂ ବିଶେଷ କରି ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ମାହାବାତ୍ୟା ତା’ର ତାଣ୍ଡବ ଲୀଳା ଦେଖାଇଥିଲା । । ଏହି ବାତ୍ୟାରେ ଚାଲିଯାଇଥିଲା ହଜାର ହଜାର ଜୀବନ । ଚାରିଆଡେ ଭାସୁଥିଲା କୁଢ କୁଢ ଶବ । କେତେ ସଧବାଙ୍କ ମୁଣ୍ଡରୁ ଲିଭିଯାଇଥିଲା ସିନ୍ଦୁର ତ କିଏ ନିଜ ପରିବାରକୁ ହରାଇଥିଲା । କେତେ ଶିଶୁ ମାତୃହରା ହୋଇଥିଲେ ତ କେତେ ମାଆ ପୁତ୍ରହରା ହୋଇଥିଲେ । ଚାରିଆଡେ ଭୋକର କରାଳ ଛାୟା ରାହୁ ଭଳି ଗ୍ରାସ କରିଥିଲା । ସରକାରୀ ଆକଳନ ଅନୁସାରେ ଏହି ମହାବାତ୍ୟାରେ ପ୍ରାୟ ୧୦ହଜାର ଲୋକ ପ୍ରାଣ ହରାଇଥିଲେ କିନ୍ତୁ ବେସରକାରୀ ରିପୋର୍ଟରେ ଏହାର ସଂଖ୍ୟା ଢେର ଅଧିକ ବୋଲି କୁହାଯାଏ ।

ଅକ୍ଟୋବର ୨୯ ତାରିଖ ଆସିଲେ ମନେ ପଡିଯାଏ ମହାବାତ୍ୟା ରଚିଥିବା ମହା ତାଣ୍ଡବର କଥା । ମହାବାତ୍ୟାକୁ ୨୨ ବର୍ଷ ପୁରିଯାଇଥିବାବେଳେ ତାର କରାଳ ଚିତ୍ର ମନେପଡିଗଲେ ମଣିଷ ମନ ବିଚଳିତ ହୋଇଉଠେ । ତେବେ ଆଜିର ଓଡ଼ିଶାରେ ବହୁ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି, କିନ୍ତୁ ଯଦି ମଣିଷ ସମାଜ ତାର ଓ ପ୍ରକୃତି ମଧ୍ୟରେ ଭାରସାମ୍ୟ ସନ୍ତୁଳିତ କରିରଖିେ ଆଗାମୀ ପିଢି ପାଇଁ ତାହା ଏକ ବଡ ଉପହାର ହୋଇପାରିବ ।

Show More

Related Articles

Back to top button