ଖେଳ

୨୦୧୧ ବିଶ୍ୱକପ୍ ଫାଇନାଲ ଫିକ୍ସିଂର ତଦନ୍ତ ବନ୍ଦ କଲା ଶ୍ରୀଲଙ୍କା ପୋଲିସ

ମିଳିଲାନି କିଛି ପ୍ରମାଣ

କୋଲମ୍ବୋ: ୨୦୧୧ ବିଶ୍ୱକପ୍ ଫାଇନାଲରେ ଭାରତ ଠାରୁ କାହିଁକି ହାରିଲା ଶ୍ରୀଲଙ୍କା ? ହୋଇଥିଲା କି ମ୍ୟାଚ୍ ଫିକ୍ସିଂ ? ଏ ପ୍ରଶ୍ନର ଉତ୍ତର ଖୋଜୁଥିବା ଶ୍ରୀଲଙ୍କା ପୋଲିସ ଶେଷରେ ତଦନ୍ତରେ ଡୋରି ବାନ୍ଧିଛି I କ୍ରିକେଟର କୁମାର ସାଙ୍ଗକାରା ଓ ମହେଲା ଜୟବର୍ଦ୍ଧନଙ୍କ ବୟାନ ରେକର୍ଡ ପରେ ଫିକ୍ସିଂ ନେଇ କୌଣସି ପ୍ରମାଣ ମିଳିନଥିବା କୁହାଯାଇଛି I

ଶ୍ରୀଲଙ୍କାର ପୂର୍ବତନ ଖେଳମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥଗମଗେ ଫାଇନାଲ ମ୍ୟାଚରେ ଫିକ୍ସିଂ ହୋଇଥିବା ନେଇ ଅଭିଯୋଗ କରିଥିଲେ I ଯାହାର ତଦନ୍ତ କରୁଥିଲା ଶ୍ରୀଲଙ୍କା ପୋଲିସର ସ୍ୱତନ୍ତ୍ର ବିଭାଗ I ଏସପି ଜଗତ ଫୋନସେକା ଏନେଇ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି I କହିଛନ୍ତି- ଆମେ ତଦନ୍ତ ରିପୋର୍ଟ ଖେଳ ମନ୍ତ୍ରାଳୟର ସଚିବଙ୍କୁ ପଠାଉଛୁ I ଯିଏକି ଆମକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ I ପ୍ରମାଣ ଅଭାବରୁ ତଦନ୍ତକୁ ବନ୍ଦ କରାଯାଉଛି I

ଖେଳ ସମ୍ବନ୍ଧିତ ଅପରାଧର ସ୍ୱତନ୍ତ୍ର ଯାଞ୍ଚର ମୁଖ୍ୟ ହେଉଛନ୍ତି ଫୋନସେକା I ତାଙ୍କ ଅନୁସାରେ ଅଲୁଥଗମଗେ କରିଥିବା ଅଭିଯୋଗକୁ ସାବ୍ୟସ୍ତ କରାଯାଇ ପାରିବ ନାହିଁ I ଖେଳାଳିଙ୍କୁ ଆଉ ପଚରାଉଚରା କରିବା ଲାଗି ଆମ ପାଖରେ କୌଣସି କାରଣ ମଧ୍ୟ ନାହିଁ ବୋଲି ସେ କହିଛନ୍ତି I

ଯାଞ୍ଚରେ ଟିମର ସେତେବେଳର ମୁଖ୍ୟ ଚୟନକର୍ତ୍ତା ଅରବିନ୍ଦ ଡି ସିଲ୍ୱା, ଫାଇନାଲ ମ୍ୟାଚ ଟିମର କ୍ୟାପଟେନ୍ ସଙ୍ଗକାରା. ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ଓ ମହେଲା ଜୟବର୍ଦ୍ଧନ ପ୍ରମୁଖଙ୍କୁ ପଚରାଉଚରା କରାଯାଇଥିଲା I

Show More

Related Articles

Back to top button