Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଜାନୁଆରୀ ୩ରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ, ଗାଇଡ୍‌ଲାଇନ୍‌ ଜାରି କଲା ଗଣଶିକ୍ଷା ବିଭାଗ

ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଏଣିକି ବିଦ୍ୟାଳୟ ଶ୍ରେଣୀ ଗୃହରେ ବସି ପାଠ ପଢି ପାରିବେ । ରାଜ୍ୟରେ ୨୭ ହଜାର ସ୍କୁଲ ନୂଆବର୍ଷରୁ ଖୋଲିବାକୁ ଯାଉଥିବା ବେଳେ କରୋନା ଗାଇଡ଼ଲାଇନ୍ କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସ୍କୁଲ ଖୋଲିଲେ ମଧ୍ୟ ଅନ୍‌ଲାଇନ କ୍ଲାସ୍‌ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ପିଲାମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ, ସେମାନେ ତାହା କରିପାରିବେ । ଅଭିଭାବକଙ୍କ ସମ୍ମତି ଆଣି ପିଲାମାନେ ସ୍କୁଲ ଆସିପାରିବେ । ଶ୍ରେଣୀଗୃହ ପାଠପଢ଼ା ଉପସ୍ଥାପନ ବାଧ୍ୟତାମୂଳକ ନୁହେଁ । ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀମାନେ ପରିଦର୍ଶନ କରି ସ୍ପଚ୍ଛତା ପରଖିବେ ।

ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସି ପାରିବେ । ସବୁ କ୍ଲାସରୁମକୁ ସଠିକ୍ ଭାବେ ସାନିଟାଇଜ୍ କରିବା ନେଇ ଏସଓପି ଜାରି ହୋଇଛି । କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ଗୋଟିଏ ଛାତ୍ର ଗୋଟିଏ ବେଞ୍ଚ ଆଧାରରେ ଚାଲିବ କ୍ଲାସ ।ସ୍କୁଲ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ସହ ଆଇସୋଲେସନ ରୁମ୍ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ୍ ପରିଦର୍ଶନ କରିବା ସହ କୋଭିଡ୍ ନିୟମାବଳୀର ନିୟମିତ ସମୀକ୍ଷା କରିବେ ଶିକ୍ଷା ଅଧିକାରୀ । ଅନ୍ୟପଟେ ସ୍କୁଲ ପରିବହନ ବ୍ୟବସ୍ଥା ବଦଳରେ ଅଭିଭାବକ ନିଜେ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ୫୦% କ୍ଷମତାରେ ସ୍କୁଲ ବସ୍ ଚଲାଇବାକୁ ଏସଓପିରେ କୁହାଯାଇଛି ।

ସ୍କୁଲରେ ହାତଧୁଆ ବ୍ୟବସ୍ଥା ରହିବା ସହ ଡିଜିଟାଲ ଥର୍ମୋମିଟର ରହିବ । କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ । ବିଦ୍ୟାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ହେଲପଲାଇନ୍ ନମ୍ବର ସହ ସ୍ଥାନୀୟ ଚିକିତ୍ସା କର୍ତ୍ତୃପକ୍ଷଙ୍କ ନମ୍ବର ଲେଖାଯିବ । ଭିଡ଼କୁ ଏଡ଼ାଇବା ଲାଗି ସ୍କୁଲରେ କୌଣସି ଖେଳ କିମ୍ବା କାର୍ଯ୍ୟକ୍ରମ ହେବ ନାହିଁ । ବୁଲା ବିକାଳି ସ୍କୁଲ୍ ପରିସରରେ ପ୍ରବେଶ କରିପାରିବେ ନାହିଁ । ଜଣେ ଶିକ୍ଷକ ଓ ଜଣେ ସ୍କୁଲ୍ କମିଟି ସଦସ୍ୟଙ୍କୁ ନେଇ କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯିବ ।ସରକାର ଯେଉଁ ଅନୁସାରେ ସମୟ ଧାର୍ଯ୍ୟ କରିଛନ୍ତି ସେହି ଅନୁସାରେ ସ୍କୁଲ ଖୋଲାରହିବ । ସ୍କୁଲରେ କୌଣସି ପ୍ରକାର ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଦିଆଯିବ ନାହିଁ ।

Show More

Related Articles

Back to top button