ଓଡ଼ିଶାମୁଖ୍ୟ ଖବର

ଜନ୍ମମାଟିରେ ଓଡ଼ିଆ ପୁଅ ପ୍ରମୋଦଙ୍କୁ ସ୍ୱାଗତ

ଜନ୍ମମାଟିକୁ ଫେରିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ନିଜ ଜନ୍ମମାଟି ଅତାବିରାକୁ ଫେରିଛନ୍ତି । ଆଜି ସେ ବରଗଡ ଜିଲ୍ଲା ଗୋଡ଼ଭଗାରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ବିପୁଳ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅତାବିରା ଓ ଗୋଡ଼ଭଗା ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇବା ସହ ବାଜା ବଜାଇ, ବାଣ ଫୁଟାଇ, ଏକ ରଥରେ ବସାଇ ଶୋଭାଯାତ୍ରାରେ ଅତାବିରା ପର୍ଯ୍ୟନ୍ତ ପାଛୋଟି ନେଇଯାଇଥିଲେ ।

ପ୍ରମୋଦଙ୍କୁ ସ୍ୱାଗତ କରିବା ପାଇଁ ଆଜି ସକାଳୁ ୫୩ ନମ୍ବର ଜାତୀୟ ରାଜପଥର ଗୋଡଭଗା ଠାରେ ଅପେକ୍ଷା କରି ରହିଥିଲେ ଶହ ଶହ ଲୋକ । ବିଭିନ୍ନ ବୟସ ବର୍ଗର ଲୋକଙ୍କ ସମେତ ସ୍କୁଲ ଛାତ୍ର ଛାତ୍ରୀ ମଧ୍ୟ ଅପେକ୍ଷା କରି ରହିଥିଲେ । ସକାଳ ୧୦ଟା ପରେ ପ୍ରମୋଦ ଗୋଡଭଗାରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ  ସମ୍ବର୍ଦ୍ଧିତ କରିସାରିବା ପରେ ଶୋଭାଯାତ୍ରାରେ ସେ ପ୍ରଥମେ ଗୋଡ଼ଭଗାଠାରେ ଥିବା ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚି ମା’ ଙ୍କ ଦର୍ଶନ କରିଥିଲେ । ସେଠାରୁ ଅତାବିରା ଯିବା ରାସ୍ତାରେ ବିଭିନ୍ନ ଛକ ଜାଗା ମାନଙ୍କରେ ସ୍ଥାନେ ସ୍ଥାନେ ସମ୍ବର୍ଦ୍ଧନା ଦେବା ପାଇଁ ଅପେକ୍ଷା କରିଥିଲେ ବିଭିନ୍ନ ସଙ୍ଗଠନ ଓ ସଂସ୍ଥା । ପୁଷ୍ପଗୁଛ ଓ ଫୁଲ ମାଳା ଦେଇ ପ୍ରମୋଦଙ୍କୁ ସ୍ଵାଗତ କରିଥିଲେ ଏବଂ ତାଙ୍କ ସହ ହାତ ମିଳାଇ ଥିଲେ । ତେବେ ଅତାବିରାରେ ପହଞ୍ଚିବା ପରେ ନିଜ କର୍ମ ଭୂମି ପୁରୁଣା ସିନେମା ହଲ ପଡ଼ାରେ ତାଙ୍କୁ ଗାଡି ଉପରେ ସ୍ଵାଗତ କରିଥିଲେ ସାନ ଭଉଣୀ ଓ ତାଙ୍କ ପଡେ଼ାଶୀ । କଳସ ବସାଇ ଶୁଭ ମନାସୀ ଥିଲେ । ଆଉ ଏହି ସମୟରେ ସମସ୍ତେ ଖୁବ ଭାବବିହ୍ୱଳ ହୋଇପଡିଥିଲେ ।

ଶେଷରେ ଅତାବିରା ରାମଚଣ୍ଡି ମନ୍ଦିର ପରିସରରେ ଅନୁଷ୍ଠିତ ଏକ ନାଗରିକ ସମ୍ବର୍ଦ୍ଧନା ସଭାରେ ପ୍ରମୋଦ ଯୋଗ ଦେଇଥିଲେ ସେଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ସଙ୍ଗଠନର କର୍ମକର୍ତ୍ତା ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ରହିଥିଲେ । ବରଗଡ଼ ସାଂସଦ ସୁରେଶ ପୂଜାରୀ, କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପ୍ରମୋଦଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

Show More

Related Articles

Back to top button