Breaking PLUSଓଡ଼ିଶାଦେଶମୁଖ୍ୟ ଖବର

୮୩ ବର୍ଷ ବୟସରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ପରଲୋକ

ଆଉ ନାହାନ୍ତି କମଳ ଦେଶର ସେ ରାଜକୁମାର ।

ଭୁବନେଶ୍ୱର: ୮୩ ବର୍ଷ ବୟସରେ ଆଖି ବୁଜିଲେ ବିଶିଷ୍ଟ ସଙ୍ଗୀତଜ୍ଞ  ପ୍ରଫୁଲ୍ଲ କର । ୧୬ ଫେବୃଆରୀ ୧୯୩୯ରେ ପ୍ରଫୁଲ୍ଲ କର ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ଦେବା ସହ ବିଭିନ୍ନ ସମ୍ମାନୀତ ହୋଇଛନ୍ତି ପ୍ରଫୁଲ୍ଲ କର । ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ତାଙ୍କର ଶେଷକୃତ୍ୟ । ଆଉ ନାହାନ୍ତି କମଳ ଦେଶର ସେ ରାଜକୁମାର ।  ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ପ୍ରଫୁଲ୍ଲ କରଙ୍କର ଦେହାନ୍ତ ହୋଇଛି । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ,  ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ଅପ୍ରତିଦ୍ୱନ୍ଦି କଳାକାର ତଥା ସ୍ରଷ୍ଟା ପ୍ରଫୁଲ୍ଲ କର ନିଜର ଅନବଦ୍ୟ ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ । ତାଙ୍କର ବିୟୋଗରେ ରାଜ୍ୟର ସାଂସ୍କୃତିକ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ୧୯୩୯ ଫେବୃଆରି ୧୬ ତାରିଖରେ ଜନ୍ମିତ ପ୍ରଫୁଲ୍ଲ କରଙ୍କ ମୃତ୍ୟୁବେଳକୁ ୮୩ ବର୍ଷ ହୋଇଥିଲା। ବହୁ ଲୋକପ୍ରିୟ ଓ କାଳଜୟୀ ଓଡ଼ିଆ ଗୀତର ସ୍ରଷ୍ଟା ବର୍ଷୀୟାନ୍ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପରିଚିତ ଥିଲେ। ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ଦେବା ସହ ବହୁ ମନଜିଣା  ଲଘୁସଂଗୀତର ଗାୟକ, ସଂଗୀତକାର ଓ ଗୀତିକାର ଥିଲେ ସେ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସଂଗୀତ କ୍ଷେତ୍ରରେ ଅବଦାନ ଲାଗି ତାଙ୍କୁ ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ୨୦୦୪ ପ୍ରଦାନ କରାଯାଇଥିଲା। ଏଥିସହ ସେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ଗାୟକ ଓ କଣ୍ଠଶିଳ୍ପୀ ଭାବେ ବହୁ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥି ସହିତ ୨୦୦୮ରେ ସ୍ୱର୍ଣ୍ଣ ସଂଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ବି ସେ ପାଇଥିଲେ। ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଛି। ବିଶିଷ୍ଟ ସଂଗୀତଜ୍ଞମାନେ ସଂଗୀତ ଦୁନିଆ ପ୍ରତି ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ପହଞ୍ଚାଇଛି ବୋଲି କହିବା ସହ ତାଙ୍କର ପରିବାରକୁ ସମବେଦନା ଜଣାଇଛନ୍ତି।  ପ୍ରଫୁଲ୍ଲ କରଙ୍କ ବିୟୋଗ ଖବରରେ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

Show More

Related Articles

Back to top button