ବାଣିଜ୍ୟ

୧୫୦ ଟଙ୍କା ଛୁଇଁବ ପେଟ୍ରୋଲ ଦାମ !

୨୮ ଦିନରେ ୨୧ ଦିନ ବଢିଲାଣି ତେଲ ଦର

ପେଟ୍ରୋଲ ଓ ଡିଜେଲ୍‌ର ଆକାଶଛୁଆଁ ଦର ସାଧାରଣ ଜନତାଙ୍କୁ କଲବଲ୍ କରୁଛି। ଦେଶରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ସେହି ପରି ଡିଜେଲ୍ ଦର ଅଧିକାଂଶ ସହରରେ ୧୦୦ ଟଙ୍କା ଉପରେ ରହିଛି। କେବେ କମିବ ତୈଳ ତାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ପେଟ୍ରୋଲ ଓ ଡିଜେଲ୍ ଦାମ ଆଗାମୀ ସମୟରେ ଆହୁରି ମହଙ୍ଗା ହେବାର ଆଶଙ୍କା ରହିଛି।

ଅନ୍ତର୍ଜାତୀୟ ତୈଳ ବଜାର ଉପରେ ନଜର ରଖୁଥିବା ଏନେଇ ମୂଲ୍ୟ ନିର୍ଦ୍ଧାରଣ କରୁଥିବା କମ୍ପାନୀ ଗୋଲ୍ଡମ୍ୟାନ ସେକ୍ସର ଅନୁମାନ ଯେ, ଅଶୋଧିତ ତୈଳ ଦର ଆସନ୍ତା ବର୍ଷ ସୁଦ୍ଧା ବ୍ୟାରେଲ୍ ପିଛା ୧୧୦ ଟଙ୍କାରେ ପହଞ୍ଚିପାରେ। ବର୍ତ୍ତମାନ ବ୍ୟାରେଲ୍ ପିଛା ଦର ୮୫ ଡଲାର ରହିଛି। ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଅଶୋଧିତ ତୈଳ ଦର ସର୍ବକାଳୀନ ସ୍ତର ବ୍ୟାରେଲ୍ ପିଛା ୧୪୭ ଡଲାରରେ ପହଞ୍ଚିପାରେ।

ଅଶୋଧିତ ତୈଳ ଦରର ଏହି ସର୍ବୋଚ୍ଚ ସ୍ତର ୨୦୦୮ରେ ମଧ୍ୟ ଥିଲା। ଯେବେ ସାରା ଦୁନିଆ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲା ସେହି ସମୟରେ ବ୍ୟାରେଲ୍ ପ୍ରତି ଦର ୧୪୭ ଡଲାର ଥିଲା। ରିପୋର୍ଟରେ କୁହାଯାଇଛି, ଯଦି ଏମିତି ହୁଏ ତେବେ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୧୫୦ ଟଙ୍କା ଛୁଇଁପାରେ। ଅନ୍ୟପଟେ ଡିଜେଲ୍ ଲିଟର ପ୍ରତି ୧୪୦ ଟଙ୍କା ଛୁଇଁପାରେ।

ଏବେ ଆଶ୍ଵସ୍ତିର କୌଣସି ଆଶା ନାହିଁ

ପେଟ୍ରୋଲ ଓ ଡିଜେଲ୍ ଉପରେ ନିକଟ ଭବିଷ୍ୟତରେ ସାଧାରଣ ଜନତାଙ୍କୁ କୌଣସି ଆଶ୍ଵସ୍ତି ମିଳିବାର ଆଶା ଲାଗୁ ନାହିଁ। ସେପଟେ ପ୍ରଥମରୁ ପେଟ୍ରୋଲ-ଡିଜେଲ୍‌କୁ ଜିଏସଟି ପରିସରଭୁକ୍ତ କରିବା ବିଚାରକୁ ବିରୋଧ କରାଯାଉଛି। ସେପଟେ କେନ୍ଦ୍ର ସରକାର ଟ୍ୟାକ୍ସ କମ କରି ନିଜ ରାଜସ୍ଵକୁ କମ କରିବା ମୁଡରେ ନାହାନ୍ତି। ଏମିତିରେ ଏହାର ବୋଝ ସାଧାରଣ ଜନତାଙ୍କ ଉପରେ ପଡିପାରେ।

ଉଲ୍ଲେଖନୀୟ ଦେଶରେ କ୍ରମାଗତ ତୈଳ ଦର ବଢିବାରେ ଲାଗିଛି। ଗୁରୁବାର ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୮.୨୯ ଟଙ୍କା ଏବଂ ଡିଜେଲ୍ ୯୭.୦୨ ଟଙ୍କା ସର୍ବକାଳୀନ ସ୍ତରରେ ପହଞ୍ଚିଛି। ଚଳିତ ମାସରେ ୨୮ ଦିନରେ ୨୧ ଦିନ ତେଲ ଦାମ ବଢି ସାରିଛି। ଏହି ପରି ପେଟ୍ରୋଲ ଲିଟର ପିଛା ୬.୬୫ ଟଙ୍କା ଏବଂ ଡିଜେଲ୍ ୭.୨୫ ଟଙ୍କା ମହଙ୍ଗା ହୋଇ ସାରିଛି। ଏହା ପୂର୍ବରୁ ଜୁଲାଇ ମାସରେ ପେଟ୍ରୋଲ ଦାମ ୧୦୦ ଟଙ୍କା ଅତିକ୍ରମ କରିଥିଲା।

Show More

Related Articles

Back to top button