Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ମେ’ ୧୦ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା !

ଛୁଇଁପାରେ ଓଡିଶା-ଆନ୍ଧ୍ର ଉପକୂଳ

ଗତ କିଛି ଦିନ ଧରି ରାଜ୍ୟରେ ଅସମ୍ଭାଳ ତାତି ହେଉଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ୧୧ଟା ପରେ ଘରୁ ବାହାରିଲେ ମୁହଁ ପୋଡ଼ି ଦେଉଥିଲା । ୪ଟା ଯାଏ ବାହାରକୁ ବାହାରି ହେଉନଥିଲା । ତାତିର ଏଭଳି ପ୍ରକୋପରେ ବ୍ରେକ୍‌ ଲାଗିବ । ଗରମ କମିବ । ଛଟପଟ ହେଉଥିବା ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାତି କମିଯିବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ଆଶା ଦେଖାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ ଗରମ କମିବା ନେଇ ପୂର୍ବାନୁମାନ କରିଛନ୍ତି ।ସୋମବାର ୫ ସହରର ତାପମାତ୍ରା ୪୨ ଉପରେ ରହିଛି । ଉପକୂଳ ଓଡ଼ିଶାର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଛି । ସ୍ଥଳଭାଗକୁ ଥଣ୍ଡା ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ତାପମାତ୍ରା କମୁଛି । ଆଗକୁ ଆହୁରି କମିବ । ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ କମିବ ବୋଲି ସେ କହିଛନ୍ତି । ୩ ତାରିଖରୁ ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ବୁଲେଟିନ୍‌ ଜାରି କରିଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କୌଣସି ପୂର୍ବାନୁମାନ କରିନି । ୪ରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୬ ତାରିଖରେ ଏହା ଲଘୁଚାପ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । କିନ୍ତୁ ବାତ୍ୟା ହେବ କି ନା, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ହେବ ବୋଲି ପୂର୍ବାନୁମାନ ଦେଇଛନ୍ତି । ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବ ଓ ୧୦ତାରିଖରେ ସ୍ଥଳଭାଗ ଛୁଇଁବ । ଏକ ପାଣିପାଗ ମଡେଲ ଆଧାରରେ ସେ କହିଛନ୍ତି, ପ୍ରଥମ ଦୁଇ ଦିନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଆନ୍ଧ୍ର ଉପକୂଳ ଛୁଇଁପାରେ । ଏବେସୁଦ୍ଧା ଏହାର ଗତିପଥକୁ ନେଇ ଅନିଶ୍ଚିତତା ରହିଛି। ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଆକଳନ ସ୍ପଷ୍ଟ କରିହେବ ବୋଲି ସେ କହିଛନ୍ତି , ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ସାହୁ କହିଛନ୍ତି, ୧୦ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ବା ଓଡ଼ିଶା ଉପକୂଳ ଛୁଇଁବ । ୧୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ହେବ । ମଧ୍ୟ ଓ ଉତ୍ତର ଓଡ଼ିଶା ଉପରେ ଏହାର ପ୍ରଭାବ ରହିପାରେ । ସୋମବାର ରାଜ୍ୟର ସୋନପୁର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଥିଲା । ଏଠାରେ ୪୩.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି। ଏହା ତଳକୁ ରହିଛି ବୌଦ୍ଧ । ଏଠାରେ ୪୨.୫, ଫୁଲବାଣୀରେ ୪୨.୨, ଟିଟିଲାଗଡ଼ ଓ ତାଳଚେରରେ ୪୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Show More

Related Articles

Back to top button