Breaking PLUSଓଡ଼ିଶାରାଜନୀତି

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ଭୋଟ ପାଇଁ ସରଗରମ ହୋଇ ପଡିଛି ରାଜନୀତି ମାହୋଲ । ଏହାରି ମଧ୍ୟରେ ପୌର ନିର୍ବାଚନ ପାଇଁ  ରାଜ୍ୟ ନିର୍ବାଚନ କମିଶନର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବାକୁ ନିର୍ବାଚନ କମିଶନ ଗୁରୁତ୍ୱ ଦେଇଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ । ଏହି ପ୍ରକ୍ରିୟା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୯ରେ ସମସ୍ତ ନାମାଙ୍କନ ପତ୍ରର  ସଠିକ୍ ଯାଞ୍ଚ ହେବ ।  ଆଗାମୀ ୨୪ରେ ହେବ ପୌର ନିର୍ବାଚନ ଭୋଟ । ଏହାପରେ ୨୬ ତାରିଖ ଦିନ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ ।

ଚଳିତ ବର୍ଷ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବ । ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗରରେ ହେବ ନିର୍ବାଚନ । ତେବେ ଆଗୁଆ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କୁ ଇଭିଏମ୍‌ ପଠାସାରିଥିଲା । ଏପରିକି ନିର୍ବାଚନ କାର୍ଯ୍ୟରେ ଯୋଗଦେବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଇଭିଏମ୍‌ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା

ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବ୍ୟବସ୍ଥା ରଖାଯାଇଛି, ଅନ୍ୟପଟେ ମେୟର ଏବଂ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବାରୁ ପ୍ରତ୍ୟକ୍ଷ ଭାବେ ଏହି ପଦ ପାଇଁ ଲୋକମାନେ ଭୋଟ୍ ଦେବେ । ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ କାଉନ୍ସିଲର କିମ୍ବା କର୍ପୋରେଟରଙ୍କ ପାଇଁ ରହିବ । ଅନ୍ୟ  ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷ ପାଇଁ ରହିବ । କାଉନ୍ସିଲର କିମ୍ବା କର୍ପୋରେଟରଙ୍କ ଇଭିଏମରେ ଗୋଲାପୀ ରଙ୍ଗର କାଗଜ ଲାଗିବା ବେଳେ ମେୟର କିମ୍ବା ପୌରାଧ୍ୟକ୍ଷ ଇଭିଏମରେ ହଳଦୀ ରଙ୍ଗର କାଗଜ ଲାଗିବ। ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନାହିଁ ।

Show More

Related Articles

Back to top button