ଓଡ଼ିଶାମୁଖ୍ୟ ଖବର

ଓଡିଶା ଛୁଇଁଲା ମୌସୁମୀ

୪୮ଘଣ୍ଟା ମଧ୍ୟରେ ସାରାରାଜ୍ୟରେ ବର୍ଷା

ଓଡିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ । ଆଗାମୀ ୪୮ଘଣ୍ଟା ମଧ୍ୟରେ ସାରାରାଜ୍ୟକୁ ଛୁଇଁବ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଭିତ୍ତି କରି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ବଙ୍ଗୋସାଗରରେ ଆସନ୍ତା ୧୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହା ମୌସୁମୀ ପ୍ରବେଶର ଅନୁକୂଳ ପରିବେଶ ସୃଷ୍ଟି କରିବ।

ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ପ୍ରବଳ ବର୍ଷାର ପ୍ରଭାବରେ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ଜଳ ଆସିପାରେ। ଏପରିକି ପାହାଡ଼ିଆ ଅଞ୍ଚଳରେ ଅତଡ଼ା ଖସିବା ଆଶଙ୍କା ଥିବା ବେଳେ, ସମୁଦ୍ର ଜୁଆରିଆ ଓ ଅଶାନ୍ତ ରହିବ।୧୧ ତାରିଖ ପରେ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିଦିଆଯାଇଛି। କ୍ଷୟକ୍ଷତି ରୋକିବା ଲାଗି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପ୍ରସ୍ତୁତ ରଖିବା ଲାଗି କୁହାଯାଇଛି। ସେହିପରି ବନ୍ୟା ମୁକାବିଲା ପାଇଁ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ କୁହାଯାଇଛି। ସହରାଞ୍ଚଳରେ ପାଣି ଖଲାସ କରିବା ଏବଂ ତଳିଆ ଅଞ୍ଚଳରେ ଯେମିତି ପାଣି ନ ଜମିବ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ମଧ୍ୟ କୁହାଯାଇଛି।

Show More

Related Articles

Back to top button