ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ସୋମବାରଠୁ ମହାବାହୁଙ୍କୁ ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ

ଟୋକନ ଦେଖାଇଲେ ମନ୍ଦିରରେ ପ୍ରବେଶ ଅନୁମତି

ସୋମବାରରୁ ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ । ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଏହି ବର୍ଗର ଭକ୍ତଙ୍କ ଦର୍ଶନ ଚାଲିବ । ପାଖାପାଖି ୪୫ ହଜାର ପରିବାରଙ୍କ ଦର୍ଶନ ପାଇଁ ପୌରସଂସ୍ଥା ଘର ଘର ବୁଲି ସ୍ୱଚ୍ଛସାଥୀଙ୍କ ଜରିଆରେ ଟୋକନ ବାଣ୍ଟିଛି । ଦର୍ଶନ ସୂଚୀ ମୁତାବକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିବେ ସହରବାସୀ । ଦେଉଳ ଭିତରେ ଭିଡ ନିୟନ୍ତ୍ରଣ ପାଇଁ ପ୍ରତିହାରୀ ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଛି । କୋଭିଡ୍‌ କଟକଣା ପାଳନକୁ ନଜର ରଖିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।ସହରବାସୀଙ୍କ ବାସିନ୍ଦା ପ୍ରମାଣପତ୍ରକୁ ସିଂହଦ୍ୱାର ସାମ୍ନାରେ ଖୋଲିଥିବା ଅସ୍ଥାୟୀ କିଓସ୍କରେ ଯାଞ୍ଚ ବ୍ୟବସ୍ଥା ହୋଇଛି । ସେହିଭଳି ହାତ ଧୋଇ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବେଳେ ସମାଜିକ ଦୂରତା ରକ୍ଷାକୁ ଦେଉଳ ଭିତରେ ନିୟୋଜିତ ସୁରକ୍ଷା କର୍ମଚାରୀ ତଦାରଖ କରିବେ । ଆବଶ୍ୟକ ହେଲେ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯିବାକୁ ଯୋଜନା ରହିଛି । ସହରବାସୀଙ୍କ ଦର୍ଶନ ୨୦ ତାରିଖରେ ଶେଷ ହେବ । ଅଗଷ୍ଟ ୨୧, ୨୨ ଦୁଇ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିର ବିଶୋଧନ କରାଯିବ ।

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସର୍ବସାଧାରଣ ଦର୍ଶନ ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହେବ । କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଦର୍ଶନ କରିବେ ସାଧାରଣ ଭକ୍ତ । ରାଜ୍ୟ ତଥା ରାଜ୍ୟ ବାହାରୁ ଏବେ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ମଧ୍ୟ ଶୁକ୍ରବାର ଦିନ ପ୍ରସ୍ତୁତି ଆରମ୍ଭ କରିଛି । ପୁରୀ ସମୁଦ୍ରରେ ସ୍ନାନ ଏବଂ ବେଳାଭୂମିରେ ପର୍ଯ୍ୟଟକଙ୍କ କୋଭିଡ୍‌ କଟକଣା ଅନୁପାଳନକୁ ପୁଲିସ ଗୁରୁତ୍ୱ ଦେଉଛି ।ପୁଲିସ ତାଲିକାରେ ପୁରୀ ସମୁଦ୍ରକୂଳକୁ କୋଭିଡ୍‌ ସଂକ୍ରମଣର ହଟସ୍ପଟ୍‌ ରୂପେ ଚିହ୍ନଟ କରାଯାଇଛି । ସେହିଭଳି ସମୁଦ୍ର ସ୍ନାନ ବେଳେ ବିପଦରେ ପଡିଥିବା ଟୁରିଷ୍ଟଙ୍କୁ କିଭଳି ସୁରକ୍ଷା ଦିଆଯିବ, ଉଦ୍ଧାର କାର୍ଯ୍ୟ, ସମୁଦ୍ର ସ୍ନାନ ଉପରେ ନିରନ୍ତର ନଜର ରଖିବା ଆଦି ପ୍ରସଙ୍ଗରେ ଶୁକ୍ରବାର ପୁରୀ ପୁଲିସ ପକ୍ଷରୁ ବେଳାଭୂମିରେ ଏକ ମକ୍‌ ଡ୍ରିଲ କରାଯାଇଥିଲା । ସେହିଭଳି ଶ୍ରୀମନ୍ଦିର ଭିତରେ, ସିଂହଦ୍ୱାର ସାମ୍ନା,ଶ୍ରୀମନ୍ଦିର ଚୌହଦିରେ ଦର୍ଶନାର୍ଥୀଙ୍କୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍‌ ମୁତୟନ କରିବାକୁ ଯୋଜନା ରହିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

Show More

Related Articles

Back to top button