Breaking PLUSଦେଶ ବିଦେଶମୁଖ୍ୟ ଖବର

ଇସ୍ରାଏଲ ସେନା ଟାର୍ଗେଟରେ ଅଲ୍-ସିଫା ହସ୍ପିଟାଲ

ତେଲ ଆବିଭ୍‌ : ହମାସ ଆତଙ୍କବାଦୀଙ୍କୁ ସମୂଳେ ନିପାତ କରିବା ଲାଗି ଇସ୍ରାଏଲ ସେନା ଚଳାଇଥିବା ଯୁଦ୍ଧର ନିଶାଣରେ ଏବେ ଗାଜାର ଅଲ୍‌ ସିଫା ହସ୍ପିଟାଲ ରହିଛି। ଅଲ୍‌ ସିଫା ହସ୍ପିଟାଲ ପରିସରରୁ ହମାସ ଆତଙ୍କବାଦୀମାନେ ସେମାନଙ୍କ ଅଭିଯାନ ଚଳାଇଥିବାବେଳେ ବୁଧବାର ସକାଳେ ଏହା ମଧ୍ୟକୁ ଇସ୍ରାଏଲ ସେନା ପ୍ରବେଶ କରିଛନ୍ତି। ଏପରିକି ଇସ୍ରାଏଲ ସେନାର ଟ୍ୟାଙ୍କ ମଧ୍ୟ ହସ୍ପିଟାଲ ମଧ୍ୟରେ ପ୍ରବେଶ କରିଛି। ଇସ୍ରାଏଲ ସେନାର ଏହି ଅଭିଯାନରେ ଅନେକ ହମାସ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ତେଣୁ ଅଲ ସିଫା ହସ୍ପିଟାଲ ଏବେ ଯୁଦ୍ଧର ମୁଖ୍ୟ ରଣଭୂମି ପାଲଟିଛି। ଯୁଦ୍ଧ ଆରମ୍ଭରୁ ଏହି ହସ୍ପିଟାଲ ମଧ୍ୟରେ ହଜାର ହଜାର ପାଲେଷ୍ଟାଇନ ନାଗରିକ ଆଶ୍ରୟ ନେଇଥିଲେ। ଏହା ସହିତ ଏଠାରେ ଆହତ ଲୋକଙ୍କୁ ଚିକିତ୍ସା କରାଯାଉଥିଲା। ମାତ୍ର ଏହି ହସ୍ପିଟାଲର ଭୂତଳ କୋଠା ମଧ୍ୟରେ ହମାସ ଆତଙ୍କବାଦୀମାନେ ସେମାନଙ୍କ ସମସ୍ତ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରିଆସୁଥିଲେ। ଏହା ଜାଣିବା ପରେ ଇସ୍ରାଏଲ ସେନା ଏଠାରେ ଆକ୍ରମଣ କରିଛି। ହସ୍ପିଟାଲ ପରିସରରେ ହମାସ ଆତଙ୍କବାଦୀମାନେ ସାମରିକ ଅଭିଯାନର ନିୟନ୍ତ୍ରଣ କକ୍ଷ ଚଳାଇଥିବା ନେଇ ଇସ୍ରାଏଲ କରିଥିବା ଅଭିଯୋଗକୁ ଏହି ଆତଙ୍କବାଦୀ ସଂଗଠନ ଖଣ୍ଡନ କରିଛି।
ଇସ୍ରାଏଲ ସେନାର ମୁଖପାତ୍ର ତଥା ରିୟର ଆଡମିରାଲ ଡାନିଏଲ ହଗରି କହିଛନ୍ତି ଯେ ହମାସ ଆତଙ୍କବାଦୀଙ୍କ ସମସ୍ତ ସୁଡଙ୍ଗ ଏହି ହସ୍ପିଟାଲ ସହିତ ସଂଯୁକ୍ତ। ଏଠାରେ ପଣବନ୍ଦୀମାନଙ୍କୁ ରଖାଯାଇଛି। ତେବେ ଇସ୍ରାଏଲ ସେନା ହସ୍ପିଟାଲ ପରିସରର ନିର୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ କରିଛି। ହସ୍ପିଟାଲରେ ଥିବା ରୋଗୀ ଓ ଶରଣାର୍ଥୀ ଯେପରି କ୍ଷତିଗ୍ରସ୍ତ ନ ହେବେ ତାକୁ ଗୁରୁତ୍ବ ଦିଆଯାଉଛି। ଡାନିଏଲ କହିଛନ୍ତି ଯେ ଇସ୍ରାଏଲ ହମାସ ଆତଙ୍କବାଦୀଙ୍କ ସହିତ ଯୁଦ୍ଧ ଚଳାଇଛି। ତେଣୁ ଏଥିରେ ସାଧାରଣ ଲୋକଙ୍କୁ ନିଶାଣ କରାଯିବାର ନାହିଁ। ତେବେ ହମାସ ଆତଙ୍କବାଦୀଙ୍କ ପକ୍ଷରୁ କୁହାଯାଇଛି ଯେ ହସ୍ପିଟାଲ ମଧ୍ୟରେ ୬୫୦ଜଣ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ଏହା ସହିତ ଏଠାରେ ୫ରୁ ୭ହଜାର ସାଧାରଣ ନାଗରିକ ଆଶ୍ରୟ ନେଇଛନ୍ତି। ହସ୍ପିଟାଲ ମଧ୍ୟକୁ ଇନ୍ଧନ, ପାଣି ଓ ଖାଦ୍ୟ ଯୋଗାଣ ବନ୍ଦ ରହିଥିବାରୁ ଲୋକଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ସାମରିକ ଅଭିଯାନ ପରେ ଇସ୍ରାଏଲ ସେନା ହସ୍ପିଟାଲ ପରିସରରୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ଇସ୍ରାଏଲର ବରିଷ୍ଠ ସେନା ଅଧିକାରୀ ବୁଧବାର କହିଛନ୍ତି ଯେ ହସ୍ପିଟାଲ ମଧ୍ୟରୁ ଯେଉଁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ତାର ସବିଶେଷ ତଥ୍ୟ ଓ ଫଟୋ ଆଗାମୀ ଦିନରେ ଉପସ୍ଥାପନ କରାଯିବ। ହସ୍ପିଟାଲ ମଧ୍ୟରେ ରୋଗୀ ଓ କର୍ମଚାରୀଙ୍କ ସହିତ ଇସ୍ରାଏଲ ସେନାର କୌଣସି ପ୍ରକାର ସଂଘର୍ଷ ହୋଇ ନାହିଁ।

Show More

Related Articles

Back to top button