ଖେଳମୁଖ୍ୟ ଖବର

ଫିଫା ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଇରାନ

ଲ୍‌ ରାୟାନ : ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଇରାନ। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୦ ଗୋଲରେ ଓ୍ବେଲ୍ସକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଇରାନ ଶକ୍ତିଶାଳୀ ଇଂଲଣ୍ଡଠାରୁ ୨-୬ ଗୋଲରେ ହାରି ଯାଇଥିଲା। ୨ ମ୍ୟାଚରୁ ଏହି ଦଳ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇଛି।

ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚକୁ ଆମେରିକା ବିପକ୍ଷରେ ଡ୍ର ରଖିଥିବା ଓ୍ବେଲ୍ସ ୨ ମ୍ୟାଚ ପରେ ଟେବୁଲର ନିମ୍ନରେ ରହିଛି।

ଇରାନ-ଓ୍ବେଲ୍ସ ଗ୍ରୁପ୍‌ ‘ବି’ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ୯୦ ମିନିଟ ପର୍ଯ୍ୟନ୍ତ ଗୋଲ ନ ହେବାରୁ ମ୍ୟାଚଟି ଡ୍ର ରହିବା ଆଶା କରାଯାଉଥିଲା। ତେବେ ଇଞ୍ଜୁରି ଟାଇମ୍‌ର ମାତ୍ର ୩ ମିନିଟ ମଧ୍ୟରେ ୨ଟି ଗୋଲ ଇରାନକୁ ବିଜୟ ମୁକୁଟ ପିନ୍ଧାଇ ଦେଇଥିଲା। ଇରାନର ମେହଦି ଟାରେମିଙ୍କୁ ହାଇ ଚ୍ୟାଲେଞ୍ଜ ପାଇଁ ଓ୍ବେଲ୍ସର ପ୍ରଥମ ପସନ୍ଦ ଗୋଲକିପର ଓ୍ବେନି ହେନେସି ୮୬ତମ ମିନିଟରେ ରେଡ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଏହା ଦଳ ପାଇଁ ମହଙ୍ଗା ପଡ଼ିଥିଲା। ତାଙ୍କ ସ୍ଥାନରେ ଗୋଲକିପିଂ କରିଥିବା ଡାନି ଓ୍ବାର୍ଡଙ୍କୁ ୯୦+୮ ମିନିଟରେ ଚକ୍‌ମା ଦେଇଥିଲେ ରୌଜ୍‌ବେ ଚେସମି। ବକ୍ସ ଏରିଆ ବାହାରୁ ଚେସ୍‌ମି ମାରିଥିବା ଶଟ୍‌କୁ ଓ୍ବାର୍ଡ ଡାଇଭ୍‌ ମାରି ମଧ୍ୟ ରୋକିପାରି ନ ଥିଲେ। ୯୦+୧୧ ମିନିଟରେ ଇରାନ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ ରମିନ ରେଜାଇନ। ଏହାପରେ ଇରାନ ଶିବିରରେ ଏକପ୍ରକାର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।

ଏହି ମ୍ୟାଚରେ ଓ୍ବେଲ୍ସ ପକ୍ଷରୁ ଗାରେଥ ବାଲେ ୧୧୦ତମ ମ୍ୟାଚ ଖେଳିଥିଲେ। ଓ୍ବେଲ୍ସ ଜାତୀୟ ଦଳ ପକ୍ଷରୁ କୌଣସି ଖେଳାଳି ଏତେ ମ୍ୟାଚ ଖେଳିବା ଏହା ପ୍ରଥମ। ୧୯୫୮ ପରେ ଓ୍ବେଲ୍ସ ଦ୍ୱିତୀୟ ଥରପାଇଁ ବିଶ୍ୱକପ ଖେଳୁଛି। ଗତ ସିଜନରେ ଏଲ୍‌ଏଏଫ୍‌ସି ପକ୍ଷରୁ ବଡ଼ ଲିଗ୍‌ରେ ପ୍ରତିନିଧିତ୍ୱ କରିଥିବା ବାଲେ ଓ୍ବେଲ୍ସ ପକ୍ଷରୁ ମୋଟ ୪୧ଟି ଗୋଲ ସ୍କୋର କରିଛନ୍ତି।

Show More

Related Articles

Back to top button