Breaking PLUSଖେଳମୁଖ୍ୟ ଖବର

କାଲିଠାରୁ IPL, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ

କରୋନା ଯୋଗୁଁ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ୧୫ତମ ସଂସ୍କରଣର ବଳକା ମ୍ୟାଚ୍‌ କାଲିଠାରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆଇପିଏଲର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ । ଆସନ୍ତାକାଲି ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ, ଏନେଇ ପ୍ରସ୍ତୁତି ଶେଷ ହୋଇଛି ।

ଆଇପିଏଲ୍‌ରେ ୩ଥର ଚାମ୍ପିୟନ ହୋଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଆସନ୍ତାକାଲି ଦୁଇ ପ୍ରମୁଖ ଖେଳାଳିଙ୍କ ବିନା ମୈଦାନକୁ ଓହ୍ଲାଇବ । ସାମ କୁରାନ ଓ ଫାଫ ଡୁପ୍ଲେସିସି ଡେରିରେ ଦୁବାଇ ଆସିଥିବାରୁ ପ୍ରୋଟକଲ ଅନୁଯାୟୀ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି । ଉଭୟ କିଛି ମ୍ୟାଚ୍‌ ଖେଳିବେ ନାହିଁ ।

ଅନ୍ୟପକ୍ଷରେ ଆଇପିଏଲରେ ୫ଥମ ଚାମ୍ପିୟନ ହୋଇଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ନିଜକୁ ଲଢ଼େଇ ପାଇଁ ପ୍ରସ୍ତୁତ କରିଛି । ଦଳ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ, କାଏରନ ପୋଲାର୍ଡ ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି ରହିଛନ୍ତି । ଆଇପିଏଲ ପରେ ୟୁଏଇରେ ହିଁ ଟି-୨୦ ବିଶ୍ୱକପ ଖେଳାଯିବ । ତେଣୁ ସବୁ ଦେଶର ଖେଳାଳି ଆଇପିଏଲ ଜରିଆରେ ନିଜର ଦକ୍ଷତାକୁ ମାପିବେ ।

ଆଇପିଏଲ ୨୦୨୧ର ସଂସ୍କରଣ ବନ୍ଦ ହେବା ବେଳକୁ ୨୯ଟି ମ୍ୟାଚ ଖେଳା ଯାଇଥିଲା । ପଏଣ୍ଟ ଟେବୁଲ କଥା ଦେଖିଲେ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଣ୍ଟ ସହ ୧ନଂରେ ଥିବା ବେଳେ ଧୋନିଙ୍କ ଚେନ୍ନାଇ ୧୦ ପଏଣ୍ଟ ସହ ଦ୍ୱିତୀୟ, ବିରାଟ କୋହଲିଙ୍କ ଆରସିବି ସମାନ ୧୦ ପଏଣ୍ଟ ସହ ତୃତୀୟ ଓ ରୋହିତଙ୍କ ମୁମ୍ବାଇ ୮ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି ।

ଆଇପିଏଲ ଇତିହାସର ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ହେଲେ ମୁମ୍ବାଇ ଓ ଚେନ୍ନାଇ । ଏହି ଦୁଇ ଦଳର ଫ୍ୟାନମାନଙ୍କ ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ। ଦୁଇ ଦଳ ପରସ୍ପରକୁ ଆଇପିଏଲରେ ୩୨ ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୧୯ ଥର ଜିତିଥିବା ବେଳେ ଚେନ୍ନାଇ ୧୩ଥର ବାଜିମାତ କରିଛି ।

ଫାଇନାଲରେ ଉଭୟ ଦଳ ୪ଥର ମୁହାଁମୁହିଁ ହୋଇଥିବେ ବେଳେ ମୁମ୍ବାଇ ୩ଥର ଚାମ୍ପିୟନ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଶେଷ ୬ଟି ମୁକାବିଲାରୁ ମୁମ୍ବାଇ ୫ଥର ବିଜୟୀ ହୋଇଛି। କରୋନା ପାଇଁ ଚଳିତ ବର୍ଷ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ଶେଷ ମ୍ୟାଚ୍‌ରେ ମୁମ୍ବାଇ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ । ଏଥିରେ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଜିତିଥିଲା । ତେଣୁ ଆସନ୍ତାକାଲି ୟୁଏଇରେ ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରିଛନ୍ତି ।

ଚଳିତ ଆଇପିଏଲ ସିଜନର ବାକି ୩୧ ମ୍ୟାଚ୍ ଯଥାକ୍ରମେ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ।  ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ୨୭ ଦିନ ଧରି ଚାଲିବ। ସେପ୍ଟେମ୍ବର ୨୦ ତାରିଖରେ ଆବୁଧାବିରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ।

ସେହିପରି ସେପ୍ଟେମ୍ବର ୨୧ ତାରିଖରେ ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ । ସେପ୍ଟେମ୍ବର ୨୪ ତାରିଖରେ ଶାରଜାରେ ପ୍ରଥମ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଆରସିବି ଓ ଚେନ୍ନାଇ ପରସ୍ପରକୁ ଭେଟିବେ । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ । ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ।

ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ । ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ ହେବ । ଦୁବାଇରେ ଫାଇନାଲ୍‌ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି ।

Show More

Related Articles

Back to top button