Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସେପ୍ଟେମ୍ବରରେ ଫେରିଯିବ ମୌସୁମୀ

୧୫ ଦିନ ଯାଏଁ ନାହିଁ ବଡ ବର୍ଷା

ଏଥର ଆଗୁଆ ଆରମ୍ଭ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଯାତ୍ରା । ଉତ୍ତର ପଶ୍ଚିମ ଭାରତରୁ ସମ୍ଭବତଃ ୧୫ ଦିନ ଆଗୁଆ ମୌସୁମୀର ବିଦାୟୀ ଯାତ୍ରା ଆରମ୍ଭ ହୋଇପାରେ । ସେପ୍ଟେମ୍ବର ୧ରୁ ୭ ତାରିଖ ଭିତରେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ନେଇ ପାଗ ଅନୁକୂଳ ରହିବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ମାତ୍ର ଏଭଳି ପୂର୍ବାନୁମାନରେ ଓଡ଼ିଶା ପାଇଁ ଚିନ୍ତାର କୌଣସି କାରଣ ନାହିଁ । ଓଡ଼ିଶାରେ ମୌସୁମୀ ଆଗୁଆ ପ୍ରତ୍ୟାବର୍ତ୍ତନର ସମ୍ଭାବନା ଦେଖାଯାଉନାହିଁ । ଯେଉଁ ସମୟରେ ଯାଉଥିଲା, ସମ୍ଭବତଃ ସେଇ ସମୟରେ ମୌସୁମୀ ଯିବ । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଚଳିତ ବର୍ଷ ଓଡ଼ିଶାରୁ ମୌସୁମୀ ସଅଳ (ଶୀଘ୍ର) ଯିବା ସମ୍ଭାବନା ନାହିଁ । ସାଧାରଣତଃ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଅକ୍ଟୋବର ଦ୍ୱିତୀୟ ସପ୍ତାହ । ମାତ୍ର ଗତ ଦୁଇ ବର୍ଷ ହେବ ଏଥିରେ ୧୦ ଦିନ ବିଳମ୍ବ ହେଉଛି । ଏ ବର୍ଷ ବି ମୌସୁମୀ ଆଗୁଆ ପ୍ରତ୍ୟାବର୍ତ୍ତନ ସମ୍ଭାବନା ଦେଖାଯାଉନି । ବରଂ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଆଇଏମଡି ଆକଳନ କରିଛି, ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଲଘୁଚାପ ସମ୍ଭାବନା ନାହିଁ । ଯଦିଓ ୩୦ ତାରିଖବେଳକୁ ତାମିଲନାଡ଼ୁ ଉପକୂଳରେ ଏକ ଲଘୁଚାପ ହୋଇପାରେ । ମାତ୍ର ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା କମ୍‌ । ତେଣୁ ବଡ଼ ବର୍ଷା କରାଇବା ସମ୍ଭାବନା କମ୍‌ । ଓଡ଼ିଶାରେ ୨୭ ତାରିଖରେ କିଛି ବର୍ଷା ବଢ଼ିପାରେ ।

ଡକ୍ଟର ପଶୁପାଳକ କହିଛନ୍ତି, ବିହାର ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ୨୭ରୁ ଦକ୍ଷିଣ (ଛତିଶଗଡ଼) ଆଡ଼କୁ ମୁହାଁଇବ । ଏଥିଯୋଗୁ ୨୭ ତାରିଖରୁ କିଛି ବର୍ଷା ସମ୍ଭାବନା ଅଛି । ମାତ୍ର ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଅପରପକ୍ଷରେ ରାଜ୍ୟରେ ୩୦ ତାରିଖ ପରେ ଖରା ଆହୁରି ବଢ଼ିପାରେ । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ତଥାପି ଆସନ୍ତା ୨୭ରୁ କିଛି ପରିମାଣରେ ବର୍ଷା ହେବ । ଉପକୂଳରେ କେବଳ ୨୭ ତାରିଖରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨୭ରୁ ୩ ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା ପରିମାଣ ଅପେକ୍ଷାକୃତ ଅଧିକ ରହିବ । ଏହି ବର୍ଷା ସତ୍ତେ୍ୱ ଆସନ୍ତା ସପ୍ତାହକ ଭିତରେ ରାଜ୍ୟରେ ହାରାହାରି ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବ । ପାଣିପାଗ ବିଭାଗର ସୂଚନା ଅନୁସାରେ ଅଗଷ୍ଟ ୧୮ରୁ ୨୨ ତାରିଖ ଭିତରେ ରାଜ୍ୟରେ ହାରାହାରି ବର୍ଷା ପରିମାଣ ସ୍ୱାଭାବିକଠାରୁ ଅଧିକ ରହିଛି । ରାଜ୍ୟରେ ଏହି ସପ୍ତାହରେ ୧୦୫.୯ ମିଲିମିଟର ବର୍ଷା ହୋଇଥିବାବେଳେ ଏହା ସ୍ୱାଭାବିକଠାରୁ ୩୪% ଅଧିକ । ତଥାପି ୬ଟି ଜିଲ୍ଲାରେ ଏହି ସପ୍ତାହରେ ବର୍ଷା ସ୍ୱାଭାବିକ ତୁଳନାରେ କମିଛି । ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ମାଲକାନଗିରିରେ ବର୍ଷା ଅପେକ୍ଷାକୃତ କମ୍‌ ହୋଇଛି । ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କୋରାପୁଟ ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇଛି । ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ସମ୍ବଲପୁରରେ ଅଧିକ ବର୍ଷା ହୋଇଥିବାବେଳେ ବାକି ସବୁଠି ସ୍ୱାଭାବିକ ଥିଲା ବର୍ଷା ।

Show More

Related Articles

Back to top button