ଓଡ଼ିଶାମୁଖ୍ୟ ଖବର

ଓଡିଶାରେ ଅଗଷ୍ଟ ୧୫ ଯାଏଁ ମୌସୁମୀ ଦୁର୍ବଳ

 ଲଘୁଚାପ ହିଁ ଭରସା

ରାଜ୍ୟରେ ବର୍ଷା କମିଯିବ ଦିନକ ପରେ । ଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ସମ୍ଭବତଃ ଅଗଷ୍ଟ ୧୫ ଯାଏଁ ମୌସୁମୀ ଦୁର୍ବଳ ରହିବ । ତେଣୁ ବର୍ଷା ନିଅଣ୍ଟିଆ ସ୍ଥିତି ଆହୁରି ଗୁରୁତର ହୋଇପାରେ ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁଲାଇ ୩୧ ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା କମିଯିବ । କେବଳ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ମୌସୁମୀ ବର୍ଷା ହେବ । ବାଲେଶ୍ୱରକୁ ଛାଡ଼ିଦେଲେ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ଅତି କମ୍‌ ରହିବ । ଅଗଷ୍ଟ ମାସରେ ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣ ୩୫୭ ମିଲିମିଟର । ତେଣୁ ଅଗଷ୍ଟ ୧ରୁ ୧୦ ତାରିଖ ଭିତରେ ରାଜ୍ୟରେ ହାରାହାରି ୧୧୫ ମିମି ବର୍ଷା ଆଶା କରାଯାଏ । ହେଲେ ଆକଳନ କରାଯାଉଛି, ଏଥର ଅଗଷ୍ଟର ପ୍ରଥମ ୧୦ ଦିନରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ହାରାହାରି ସମୁଦାୟ ବର୍ଷା ୪୦ ମିମି ହୋଇପାରେ । ଅଗଷ୍ଟ ୧୧ରୁ ୧୫ ଯାଏ ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ଆଉ ୨୦ ମିମି ବର୍ଷା ସମ୍ଭାବନା ଅଛି । ଯଦି ସ୍ୱାଭାବିକ ପରିମାଣର ଅଧାରୁ କମ୍‌ ବର୍ଷା ହୁଏ, ମୌସୁମୀ ଦୁର୍ବଳ କୁହାଯିବ । ତେଣୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଓ ସମ୍ଭବତଃ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିପାରେ ।ଡକ୍ଟର ପଶୁପାଳକଙ୍କ ଆକଳନ ହେଲା, ଅଗଷ୍ଟ ୪ରୁ ୭ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷା ସହିତ ସମୁଦାୟ ବର୍ଷା ୬୦ ମିମିରୁ ଅଧିକ ରହିବ । କିନ୍ତୁ, ରାଜ୍ୟର ବାକି ଜିଲ୍ଲାରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୩୦ ମିମି ଭିତରେ ସୀମିତ ରହିବ ।

ମୌସୁମୀ ଟ୍ରଫ୍‌ର ପୂର୍ବଭାଗରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଯୋଗୁ ଅଗଷ୍ଟ ୩ରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ୩ରୁ ୭ ତାରିଖ ବ୍ୟତିତ ବାକି ଦିନରେ କାଁ ଭାଁ ବର୍ଷା ହୋଇପାରେ ।ଡକ୍ଟର ପଶୁପାଳକ କହିଛନ୍ତି, ଆଗକୁ ବିଶେଷ ବର୍ଷା ନଥିବାରୁ ଏବେ ପାଣି କମ୍‌ ଥିଲେ ମଧ୍ୟ ବର୍ତ୍ତମାନ ଧାନ ରୁଆ ବେଉଷା କାମ କରିନେବା ଉଚିତ । ଏହାସହ ଘାସ ବାଛିବା ସହ ସ୍ୱଳ୍ପ ସାର ମଧ୍ୟ ପ୍ରୟୋଗ କରିବା ପାଇଁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।ଗତ ୨୪ ଘଣ୍ଟାରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହୋଇଛି । ଶୁକ୍ରବାର ଦିନ ଭିତରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଗତକାଲିର ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବର୍ଷା ନିଅଣ୍ଟିଆ ସ୍ଥିତି ଦୂର ହୋଇଛି ।ପାଣିପାଗ ବିଭାଗ କହିଛି, ଶନିବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ୧ରୁ ବର୍ଷା ଆହୁରି କମିଯିବ। ପୁଣି ୩ରୁ ସାମାନ୍ୟ ବଢ଼ିପାରେ ।

Show More

Related Articles

Back to top button