ଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଆସନ୍ତା ସୋମବାରରୁ କମିବ ବର୍ଷା

୭ରେ ଆଉ ଏକ ଲଘୁଚାପ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦିନଟିଏ ବର୍ଷା ହେବ । ଏ ଲଘୁଚାପ ରାଜ୍ୟରେ ବଡ଼ ବର୍ଷା କରାଇବ ନାହିଁ । ସୋମବାରଠାରୁ ବର୍ଷା ପ୍ରକୋପ କମିବ । ଆସନ୍ତା ୭ ତାରିଖବେଳକୁ ଆଉ ଏକ ଲଘୁଚାପ ସଷ୍ଟି ହେବା ସମ୍ଭାବନା ଅଛି ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶନିବାର ସକାଳେ ଓଡ଼ିଶା ଉପକୂଳର ଦୂରରେ ଉତ୍ତର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ଲଘୁଚାପ । ଏହା କ୍ରମଶଃ ବିସ୍ତୃତ ହେବା ସହ ଦକ୍ଷିଣ ଆଡ଼କୁ ଯାଇ ୩୦ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଉପକୂଳ ପାଖରେ ରହିବ । ତା’ପରେ ନାଗପୁର ଦେଇ ରାଜସ୍ଥାନ ଆଡ଼କୁ ମୁହାଁଇବା ଆକଳନ କରାଯାଉଛି । ଆକଳନ କରାଯାଉଛି, ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ବା ଆଂଶିକ ମେଘୁଆ ରହିବ । ୨୯ରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ଓ ୩୦ରେ ଉପକୂଳ ଓ ଦକ୍ଷିଣ/ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (୨୫ ମିମି ପର୍ଯ୍ୟନ୍ତ) ହୋଇପାରେ ।ଅନ୍ୟ ଅଞ୍ଚଳରେ ସ୍ୱଳ୍ପ ବର୍ଷା (୧୫ ମିମି ପର୍ଯ୍ୟନ୍ତ) ସମ୍ଭାବନା ଅଛି । ସେହିପରି ସେପ୍ଟେମ୍ବର ୧ରେ ଉପକୂଳରେ ସ୍ୱଳ୍ପ ବର୍ଷା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ୨ରେ ରାଜ୍ୟ ସାରା ପ୍ରାୟତଃ ହାଲୁକା ବର୍ଷା ସମ୍ଭାବନା ଅଛି ।

୩ ତାରିଖରେ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ଆସନ୍ତା ସପ୍ତାହକ ଭିତରେ ରାଜ୍ୟରେ ହାରାହାରି ୬୦ ମିମି ବର୍ଷା ହେବ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ କମ୍‌ ବର୍ଷା ହୋଇପାରେ ।ମଡେଲରୁ ଜଣାଯାଇଛି, ସେପ୍ଟେମ୍ବର ୫ରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପରେ ପରିଣତ ହେବ । ପ୍ରାଥମିକ ଆକଳନରୁ ଜଣାପଡ଼ିଛି, ଏହା ପ୍ରଭାବରେ ଓଡ଼ିଶା ଅପେକ୍ଷା ଆନ୍ଧ୍ର ଏବଂ ତେଲଙ୍ଗାନାରେ ଅଧିକ ବର୍ଷା ହେବ । ଓଡ଼ିଶାର ଉପକୂଳ ଏବଂ ଦକ୍ଷିଣରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ଡକ୍ଟର ପଶୁପାଳକ କହିଛନ୍ତି, ଚାଷୀମାନେ ଅଗଷ୍ଟ ଶେଷ ସୁଦ୍ଧା ଧାନ ରୁଆ ସାରି ଦିଅନ୍ତୁ । ସେପ୍ଟେମ୍ବରରେ ଭଲ ବର୍ଷା ସମ୍ଭାବନା ଅଛି ।ଗତ ୨୪ ଘଣ୍ଟାରେ (ଶନିବାର ସକାଳ ୮ଟା ୩୦ ସୁଦ୍ଧା) ଆଳିପିଙ୍ଗଳରେ ୧୧୪ ମିଲିମିଟର, ପାରଳାଖେମୁଣ୍ଡିରେ ୯୮, ତେଲକୋଇରେ ୭୦, କାକଟପୁରରେ ୬୧, ଜୁନାଗଡ଼ରେ ୫୭, ଖରିଆରରେ ୫୨, ରାୟଗଡ଼ାରେ ୫୦, ପାଇକମାଳରେ ୪୮, ଆସିକାରେ ୪୫, ଗୁଣୁପୁରରେ ୪୪, ନବରଙ୍ଗପୁରରେ ୪୧, ସମ୍ବଲପୁରରେ ୪୦, ଟିକରପଡ଼ାରେ ୪୦ ମିମି ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ଭୁବନେଶ୍ୱରରେ ୨୮ ମିମି, ଗୋପାଳପୁରରେ ୩୦ ମିମି ବର୍ଷା ରେକର୍ଡ ହୋଇଛି ।

Show More

Related Articles

Back to top button